STORYMIRROR

Rajendra Kumar Senapati

Classics

4  

Rajendra Kumar Senapati

Classics

ମୋ ଦେଶ ଭାରତ

ମୋ ଦେଶ ଭାରତ

2 mins
425


ମୁଗ୍ଧ ମନୋହର ଶସ୍ୟ ଶାମଳା

ସୁନ୍ଦର ଭାରତ ବର୍ଷ

ପ୍ରକୃତି ଭଣ୍ଡାର ଦେଇଛି ଅନେକ

ରହିଛି ଅନେକ ଦୃଶ୍ୟ।

ଯାହାର ପାଦରେ କୁଳୁ କୁଳୁ ନାଦେ

ବହେ ପୂଣ୍ୟତୋୟା ନଦୀ

ମୁକୁଟ ଯାହାର ହିମାଳୟ ଗିରି

ଦେଖିଲେ ଲାଗୁଛି ଖୁସି।

ଦେବତା ମାନଙ୍କ ବେଦ ଭୂମି ଅଟେ

ଶୁଭୁ ଥାଏ ବେଦ ଧ୍ବନି 

ଯାହାର କୋଳରେ ଲୀଳା କରିବାକୁ

ମର୍ତ୍ତ୍ୟକୁ ଆସନ୍ତି ଧାଇଁ।

ଏଇ ଦେଶ ନାରୀ ବହୁ ପୂଣ୍ୟବତୀ 

ଜଗତରେ ମହିୟସୀ

ପଦ୍ମିନୀ, ସାବିତ୍ରୀ, ଗାର୍ଗୀ, ଲକ୍ଷ୍ମୀବାଇ

ଥିଲେ ଅନୁସୂୟା କୁନ୍ତୀ।

ଏ ଦେଶର ଶିକ୍ଷା ଅଟଇ ବିରଳ

ପଢୁଥିଲେ ଗୁରୁକୁଳ

ମୁନୀ ୠଷି ମାନେ ଶିକ୍ଷା ଦେଉଥିଲେ

ସଂସ୍କାର ମନ୍ତ୍ର ଟି ମୂଳ।

ଯାହାର ପ୍ରତୀକ ସାରା ଜଗତରେ

ଯଶସ୍ବୀ ବିବେକାନନ୍ଦ

ବିଶ୍ଵ ଦରବାରେ ପ୍ରତିଷ୍ଠା କରିଲେ

ଶ୍ରେଷ୍ଠ ସନାତନ ଧର୍ମ।

ଭାରତ ବର୍ଷର କଳା ସ୍ଥାପତ୍ୟ ରେ

ରହିଛି ଅନେକ କୀର୍ତ୍ତି

ମନ୍ଦିର ମାଳିନୀ ଅନେକ ସ୍ମାରକୀ

ପୂଜ୍ୟ ଦାରୁବ୍ରହ୍ମ ମୂର୍ତ୍ତି।

ଧାର୍ମିକ କ୍ଷେତ୍ରରେ ଚାରିଧାମ ଅଛି

ଚାରି ଦିଗରେ ଶୋଭିତ

ମର୍ତ୍ତ୍ୟର ଭୂସ୍ବର୍ଗ ଅତି ମନୋହର

କରୁଥାଏ ଆକର୍ଷୀତ।

ପୁରୀ କୋଣାର୍କ ଆଗ୍ରା ତାଜମହଲ

ଅଛି କୁତୁବମିନାର 

ଶିଳାରେ ଖୋଦିତ ଅପୂର୍ବ ଭାସ୍କର୍ଯ୍ୟ

କଲେ ଦେଶ କାରିଗର।

ଗୀତା, ଭାଗବତ, ଶ୍ରେଷ୍ଠ ଚାରି ବେଦ

ମହାଭାରତ ପୁରାଣ

ମାତୃ ପିତୃ ଭକ୍ତି କାହାଣୀ ରହିଛି

ଯାହା କହେ ରାମାୟଣ।

ବେଦ ପୁରାଣରେ ଦୁର୍ଲଭ ବାରତା

ଏ ଭୂମିରୁ ହେଲା ଜନ୍ମ

ବାଲ୍ମିକୀ, ଜଗନ୍ନାଥ, ଶୁଦ୍ରମୁନୀ

ବ୍ୟାସ ଥିଲେ ତା ଜନକ।

ଯାହାର ପବନ ସୁବାସିତ କରେ

ମହା ମନ୍ତ୍ରର ଧ୍ବନିରେ

ଯାହାର ତଟିନୀ ପାପ ଧୌତ କରେ

ପୂଣ୍ୟ ଭାରତ ଧାମରେ ।

ସାହିତ୍ୟ କ୍ଷେତ୍ରରେ ଅନେକ ଲେଖକ

ଜନ୍ମ ଏହି ପୂଣ୍ୟ ଧାମେ

ଫକିରମୋହନ, ରାଧାନାଥ ରାୟ

ଭଞ୍ଜ ପରି ନାହିଁ ଜଣେ।

ପର୍ଶୁରାମ, ଦ୍ରୋଣ,ସାନ୍ଦିପନି ପରି

ଗୁରୁ ଥିଲେ ଭାରତରେ

ଭୀଷ୍ମ, କର୍ଣ୍ଣ,ପାର୍ଥ,ରାମ, କୃଷ୍ଣ ବେନି

ଶିଷ୍ୟ ରୂପେ ପାଇଥିଲେ।

ବହୁ ପ୍ରତିଭାକୁ ଜନ୍ମ ଦେଇଥିଲା

ଏହି ଭାରତୀୟ ମାଟି

ତାହାର କୋଳରେ ବଢ଼ିଣ ସେମାନେ

ରଖିଲେ ତାହାର କୀର୍ତ୍ତୀ।

ଭାରତୀୟ ସଂସ୍କୃତି ବିଶ୍ୱେ ଆଦୃତି

ପରମ୍ପରା ଅଟେ ଖ୍ୟାତି

ତାହାର ମହକେ ହୋଇ ଆକର୍ଷିତ

ବିଦେଶୀ ଆସନ୍ତି ଧାଇଁ।

ଆମର ବୈଭବ ଦେଖି ଅନ୍ୟ ଦେଶ

ଫିଙ୍ଗିଲେ କପଟ ଫାସ

ପରାଧୀନ ହେଲା ମୋ ସୁନାର ଦେଶ

ବିଦେଶୀ ହେଲେ ଶାସକ।

ବହୁତ ସହିଲେ ଏ ଦେଶ ଜନତା

ଗୋରା ମାନଙ୍କ ଶାସନ

ଅସହ୍ୟ ହୋଇଲା ବଢ଼ିଲା କୃରତା

ସଙ୍ଗ୍ରାମୀ ହେଲେ ଜନମ।

ଗାନ୍ଧୀ ଗୋପବନ୍ଧୁ ନେହେରୁ ସୁବାଷ

ସଙ୍ଗ୍ରାମୀ ଉଦ୍ଦାମ ସିଂହ 

ବାଜି ଭଳି ପିଲା ଜୀବନ ହାରିଲା

ବାଜିଲା ସ୍ବାଧୀନ ଶଙ୍ଖ।

ବୀର ସନ୍ତାନଙ୍କ ଅମର କାହାଣୀ 

ସ୍ବର୍ଣାକ୍ଷରେ ଲେଖା ଅଛି 

ତାଙ୍କ ବଳିଦାନ ଭାରତ ଜନନୀ

ସ୍ବାଧୀନତା ପାଇ ଅଛି।

ଆଜିର ଭାରତ ବଦଳି ଯାଇଛି

ରକ୍ଷକ ହେଲା ଭକ୍ଷକ

ରାଜା ପରଜାଙ୍କ ତାଳ ମେଳ ନାହିଁ

ଦୁର୍ନୀତି କରେ ମଉଜ।

ଜାଗ୍ରତ ହୋଇଣ ଏ ଦେଶ ଜନତା

କରିବା ସପଥ ପାଠ

ଅନ୍ୟାୟ ହଟିବ ଭାରତ ହସିବ

ଯଦି ହୋଇବା କର୍ମଠ।

ଚାହିଁ ଥରେ ଦେଖ ତ୍ରୀରଙ୍ଗା ପତକା

କେତେ ବଳିଦାନ ଫଳ

ତାହାର ଗାରିମା ସଭିଏଁ ରଖିଲେ

ଦେଶର ହେବ ମଙ୍ଗଳ।

ସର୍ବ ଧର୍ମ ସମନ୍ୱୟ ଏହି ଆର୍ଯ୍ୟ ମାଟି

ଏହି ମନ୍ତ୍ରରେ ପୂଜିତ

ଧର୍ମ ନିରପେକ୍ଷ ରାଷ୍ଟ୍ରରେ ନାମିତ

ମୋର ଅଖଣ୍ଡ ଭାରତ।

ଦେଶର ଗୌରବ ଚୀର କାଳ ଥିବ

ସୂର୍ଯ୍ୟ ପରି ତେଜିୟାନ 

ଯାହାର ରକ୍ଷକ ସ୍ବୟଂ ଜଗନ୍ନାଥ

ତାଙ୍କ ଲାଗି ବଳିୟାନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics