ପୂର୍ଣ୍ଣତା ଆଡ଼କୁ ଗୋଟିଏ ପାଦ
ପୂର୍ଣ୍ଣତା ଆଡ଼କୁ ଗୋଟିଏ ପାଦ
ସେଦିନ ବିଭୋର ହେଲି
ବିଦାୟୀ ସୂର୍ଯ୍ୟଙ୍କ କୋମଳ କିରଣର
ଶୀତୁଆ ସଂଜରେ !
ଭାରି ଏକା ଏକା ଲାଗେ
ତାର ଆବର୍ତମାନରେ।
ଯିଏ !
ମୋ ଠାରୁ ମୋତେ ଛଡେଇ ନେଲା
ବାସ୍ତବରେ ସେ
ମୋ ପ୍ରେମିକା ଥିଲା ।
ଯାହାର ମୃଦୁ ଛୁଆଁ ପାଇ
ପୁଲକିତ ହୁଏ ମୋର ଜୀବନ ସକଳ ।
ପ୍ରକମ୍ପିତ ହୁଏ ସ୍ୱର୍ଗ ମର୍ତ୍ତ୍ୟ ପାତାଳ
ହୃଦୟକୁ ହୃଦୟରେ ମିଶାଇ
କରେ ଅସମ୍ଭାଳ ।
ଝୁରୁଛି ତାକୁ ସଞ୍ଜ ରୁ ସକାଳ
ଯାହାକୁ ନେଇ ଜୀବନ ଜିଇଁବାର
ନୂତନ କୌଶଳ ।
ଫୁଲ ଠୁ କୋମଳ ଜହ୍ନ ଠୁ ଶୀତଳ
ନବଯୌବନା ସେ କରେ ଆନମନା
ତା ହୃଦୟରେ ସ୍ପନ୍ଦିତ
ମୋ ଜୀବନର ବେସୁରା ସଙ୍ଗୀତ ।
ସତରେ !
ଆଦିମ କାଳରୁ
ସଞ୍ଚିତ ଥିଲା ସେ ମୋ ପାଇଁ !
ମୁକୁଳାଇ କେଶ ,
ଓଠରେ ମୃଦୁ ହାସ
ଚହଟାଇ ବାସ
ମୋ ସର୍ବାଙ୍ଗରେ
ଭରିଥିଲା ମିଳନରେ ଦିବ୍ୟରାସ ।
ସର୍ଜନା ର ଅନନ୍ୟ ସେ ଈଶ୍ୱରଙ୍କର
ମୋ ହୃଦୟର ସ୍ପନ୍ଦିତ ଉଚ୍ଚାରଣ
ଭାବନାର ଉଦ୍ଗିରଣ
ଜୀବନର ଅଙ୍କ ଖାତା
କାମନାର କାମିନୀ କାଞ୍ଚନ ।
ଶୂନ୍ୟତାର ପୂର୍ଣ୍ଣତା ପାଇବାରେ
ଆୟୁଷ ର ଅମରତ୍ୱ ପଥରେ
ସଦ୍ୟ ଉଦ୍ଭାସିତ ସିଏ ମୋର
ପ୍ରତିଟି ଉଚ୍ଚାଙ୍ଗର ସ୍ୱପ୍ନିଳ ଉପବନରେ
ପ୍ରତିଟି ଆଶ୍ୱାସନାରେ ଆଉ
କାମନାର ମଧୁଶାଳାରେ
ଅନୁଭବ କରେ ତାକୁ ପ୍ରଣୟର ଅନୁଭବରେ
ବିଭୋର କରେ ମୋତେ ସେ,
ପ୍ରତିଟି ସ୍ପନ୍ଦନରେ ।
ମୋ ଆହତ ଅନାହତରେ
ଆବଦ୍ଧ କରେ ଭାବନାର ଉନ୍ମୁକ୍ତ ପଥରେ
ପ୍ରତିଟି ତପ୍ତ କାମନା ମଧ୍ୟରେ
ଛଳନା ହୀନ ବାସ୍ତବତାର ମାର୍ଗରେ
ମୋର ହୃଦୟର ନିବେଦ୍ୟ ନିବେଦନରେ
ସମୁଦ୍ରର ବିଶାଳତା,
ବାଲିର କ୍ଷୁଦ୍ରତାରେ
ସର୍ବତ୍ର ଉଜ୍ଜୀବିତ ମୋ ପ୍ରେମ
ତା ସ୍ବପ୍ନର ଅନ୍ଧାରି ଇଲାକାରେ
ସତରେ ସେ ଛୁଆଁ ଛୁଆଁ ନ ଥିଲା
ଥିଲା ଏକ ପୂର୍ଣ୍ଣତା ଜୀବନର
ଯାହାକୁ ନେଇ ଲେଖା ଯାଇପାରେ
ପୂର୍ଣ୍ଣତା ଇତିହାସର ।