ପୂର୍ଣ୍ଣ ଛେଦ
ପୂର୍ଣ୍ଣ ଛେଦ
ଜୀବନର ମାନେ ପୂର୍ଣ୍ଣ ପ୍ରତିକ୍ଷଣେ
ନୂଆ ନୂଆ ଆଶାବାଦ
ଯେତେ ଆଶା ପୂର୍ଣ୍ଣ ସେତେ ହୁଏ ଜନ୍ମ
ନାହିଁ ତାର ପୂର୍ଣ୍ଣଛେଦ ।।
ଜୀବନର ପଥ ସୁଦୀର୍ଘ ସୁଉଚ୍ଚ
କେତେ ବାଦ ପ୍ରତିବାଦ
ତଥାପି ଜିଜ୍ଞାସା ପାଇବାର ଆଶା
ନାହିଁ ତାର ପୂର୍ଣ୍ଣଛେଦ।।
ସଦା ଅଭାବଟି ଜୀବନର ସାଥୀ
ଅପୂର୍ଣ୍ଣ ସେ ପରିଚ୍ଛେଦ
ଏକ ପୂର୍ଣ୍ଣ ହେଲେ ଆନ ଉଙ୍କି ମାରେ
ପଡେ ନାହିଁ ପୂର୍ଣ୍ଣଛେଦ ।।
କିଏ ଚାହେଁ ଧନ କେ ଖୋଜେ ସମ୍ମାନ
କେ ସାଉଁଟେ ଅପବାଦ
ଯେ ଯେତେ ପାଇଲେ ଜିଜ୍ଞାସା ନ ସରେ
ନ ଥାଏ ତା ପୂର୍ଣ୍ଣଛେଦ ।।
ଜ୍ଞାନର ଭଣ୍ଡାର ବିଶ୍ଵ ଦରବାର
ସୀମା ହୀନ ସରହ୍ରଦ
ଯେତେ ଲଭ ଜ୍ଞାନ ପୁଣି ଚାହେଁ ମନ
ନାହିଁ ତାର ପୂର୍ଣ୍ଣଛେଦ ।।
ସାହିତ୍ୟ ଦର୍ଶନ ସୀମାହୀନ ଜ୍ଞାନ
ନାନା ଦିଗ ନାନା ଛନ୍ଦ
ଯେତେ ବି ଅର୍ଜିଲେ କେବେ ତା ନ ସରେ
ନାହିଁ ତାର ପୂର୍ଣ୍ଣଛେଦ ।।
ବିଜ୍ଞାନର ଦାନ ଅତୀବ ମହାନ
ଉଦ୍ଭାବନ ନୂଆ ଫର୍ଦ୍ଦ
ପିଢ଼ି ପରେ ପିଢ଼ି ଚଢ଼େ କେତେ ଶିଢ଼ି
ନ ଥାଏ ତା ପୂର୍ଣ୍ଣଛେଦ ।।
ପ୍ରଭୁ ନାମାମୃତ ଭଜୁଛି ଭକତ
ଲଭି ବିଘ୍ନ ପରମାଦ
କାଳ ସରିଯାଏ ଆୟୁ ସରି ଯାଏ
ପଡେ ନାହିଁ ପୂର୍ଣ୍ଣଛେଦ ।।
ସୃଷ୍ଟି କରେ ନିଜେ ନିଜ ପାଇଁ ଖଞ୍ଜେ
ଜଗତେ ମାନବବାଦ
ହେଲେ ଜୀବନଟେ କ୍ଷଣସ୍ଥାୟୀ ଅଟେ
ପଡ଼ି ଯାଏ ପୂର୍ଣ୍ଣଛେଦ ।।
ଜୀବନର ସ୍ୱାଦ ଲୋଭ ମୋହ ମଦ
ହିଂସା ପୁଣି ପରବାଦ
ତଥାପି ଜୀବନ ଖୋଜେ ତନ ତନ
ଥାଇ ତାର ପୂର୍ଣ୍ଣଛେଦ ।।
