ପୂଜ୍ୟ ଗୁରୁଜୀ
ପୂଜ୍ୟ ଗୁରୁଜୀ
ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ୱର
ଗୁରୁ ଦ୍ଵିତୀୟ ଇଶ୍ଵର,
ଜ୍ଞାନର ଚକ୍ଷୁ ଯେ ଖୋଲି ଦେଇଥାନ୍ତି
ଶିକ୍ଷା ର ଅମୃତ ଧାର।
ଅଜ୍ଞାନ ଅନ୍ଧାରେ ଦିବ୍ୟ ଜ୍ୟୋତି ଧାରା
ଜ୍ଞାନର ଆଲୋକ ଜାଳି,
ସ୍ନେହ ପ୍ରେମ ଗଙ୍ଗା ଢାଳିଯେ ଫୁଟାନ୍ତି
ରଙ୍ଗ କୁସୁମ କଳି।
ଗୁରୁ ତ ଅଟନ୍ତି ପୁଷ୍ପ ପାରିଜାତ
ସ୍ଥିତି ଯା ନନ୍ଦନବନ,
ତିକ୍ତ ନିମ୍ବ ହୁଏ ଯାହାଙ୍କ ସ୍ପର୍ଶରେ
ସୁଗନ୍ଧ ବାସ ଚନ୍ଦନ।
ଗୁରୁ ହିଁ ଅଟନ୍ତି ଜୀବନ୍ତ ଇଶ୍ଵର
ସ୍ନେହ ପ୍ରେମ ର ସାଗର ,
ଶାନ୍ତି ମୈତ୍ରୀ ପ୍ରୀତି ଗୁଣରେ ଭରାସେ
ଶିକ୍ଷା ଯା ଅଲିଭା ଗାର।
ଅଜ୍ଞାନ ଅନ୍ଧାରେ ଆଲୋକର ଜ୍ୟୋତି
ଜୀବନେ ଦିଅନ୍ତି ଜାଳି,
ମାଟି ପିଣ୍ଡୁଳାକୁ ଜୀବନ୍ତ କରନ୍ତି
ସବୁ ଶ୍ରମ ତାଙ୍କ ଢାଳି।
ନୀତି ଆଦର୍ଶର ପଥ ପ୍ରଦର୍ଶକ
ଅଟନ୍ତି ଗୁରୁ ଆମର,
ପଥ ଅନୁସରି ବାଟ ଚାଲୁଥିଲେ
ନଥାଏ ଜୀବନେ ଡର।
ଜୀବନ ର ପଥେ ଆଗେଇ ଯିବାକୁ
ପ୍ରେରଣାର ଯିଏ ଉସ୍ଚ,
ଆଶିଷ ଲଭେଯେ ସେହି ଇଶ୍ଵର ଙ୍କ
ସେ ଅଟେ ପ୍ରକୃତ ଶିଷ୍ୟ।
ଗୁରୁଙ୍କ ଚରଣେ ଭକ୍ତି ଯେ ରଖ ଇ
ପଥ ତା ହୁଏ ପୁଷ୍ପିତ,
ସେହି ଗୁରୁଙ୍କର ପଦ ପଙ୍କଯେ ମୋ
ଶତ ଶତ ପ୍ରଣିପାତ।
