ପୂଜାପଣ୍ଡାର ସ୍ବପ୍ନ
ପୂଜାପଣ୍ଡାର ସ୍ବପ୍ନ
ଚିତା ଚଇତନ ମୁଣ୍ଡରେ ଧରି
ପୋଥି ପୁଟୁଳା ତା ହାତରେ ଧରି
ସକାଳ ପ୍ରହରୁ ଆଗେଇ ଯାଏ
ହରିନାମ ସଦା ତୁଣ୍ଡରେ ନିଏ
ଜଳ ଚଢାଇ ସେ ଶିବ ମଥାରେ
ଫୁଲ ଚଢ଼ାଏ ସେ ବିଷ୍ଣୁ ପାଦରେ
ଲକ୍ଷ୍ମୀ ସରସ୍ଵତୀ ବନ୍ଦନା କରେ
କାଳିଆ ପାଖରେ ବସେ ସାଦରେ
ଭୋର ହେଲା ପରେ ମନ୍ଦିରେ ରୁହେ
ଘରକଥା କେବେ ମୁଣ୍ଡେ ନ ନିଏ
କାଳିଆ ଭରସା ସଦା କୁହଇ
ସବୁ କାମରେ ସେ ତାକୁ ଲୋଡ଼ଇ
ପିଲା ଛୁଆ ଆଉ ସଂସାର କଥା
ଘରଣୀ କଥାରେ ନ ଦିଏ ମଥା
ସେ ପରା ସେବକ ଆଗ ଧାଡିର
ପାଖରେ ତାର ତା କଳା ଠାକୁର
କାଳିଆ ସେବକ ସ୍ବପ୍ନ ଦେଖଇ
ଆସିବ ଥରେ ତା କାଳିଆ ସାଇଁ
ବନ୍ଧୁ ବୋଲି କହି କୋଳେଇ ନେବ
ଆଖି ପୋଛି ସେ ତା ରୂପ ଦେଖିବ
କାଳିଆ ତା ପ୍ରାଣ କାଳିଆ ଧର୍ମ
କାଳିଆ ପାଇଁ ତା ସମସ୍ତ କର୍ମ
ବଡଦେଉଳ ତା ନିଜର ଘର
ଦେଉଳ ଛଡ଼ା କେ ଅଛି ତାହାର
ଯେତେ ଭକ୍ତ ଦେଖେ ସଭିଙ୍କୁ ଡାକେ
କାଳିଆ ମହାତ୍ମ୍ୟ କହେ ଅଳ୍ପକେ
ମହିମା ବଖାଣି କାଳିଆ ସୁନାର
ଖୁସିମନେ କରେ ତାକୁ ଜୁହାର
ଜଗା ପାଖେ ଥରେ ରହିଲା ପରେ
ଆଉ କି ସ୍ବପ୍ନ ବା ଆସେ ମନରେ
ସବୁ ସମର୍ପି ଦେଇ ତା ପାଦତଳେ
ସ୍ଵପ୍ନ ସହ ମିଶି ବାସ୍ତବ ଚଳେ
କ୍ରମଶଃ
