STORYMIRROR

Kulamani Sarangi

Classics

3  

Kulamani Sarangi

Classics

ପୁରୁଷୋତ୍ତମ ଦେବ 29

ପୁରୁଷୋତ୍ତମ ଦେବ 29

2 mins
393



(ଐତିହାସିକ କାବ୍ୟାଂଶ)


ଜଣାଇଲା ଦୂତ କାଂଚୀ ଦରବାରେ

"ଶୁଣିମା ହେଉ ଭୋ ଦେବ !

ମାଡି ଆସୁଅଛି କୂଳ ଲଙ୍ଘି ସିନ୍ଧୁ

କାଂଚୀ ରାଜ୍ୟ ବୁଡିଯିବ।"


"ବିନା ତୋଫାନରେ କହ କେଉଁପରି

ମାଡି ଆସିଲା ସାଗର,?"

ଦୂତକୁ ଆଶ୍ଚର୍ଯ୍ଯ ହୋଇ ପଚାରିଲେ

କାଂଚୀରାଜ୍ୟ ନରବର।


କରଯୋଡି ଦୂତ ବୋଲେ "ପ୍ରଭୁ ! ଏ'କି

ସାଧାରଣ ସିନ୍ଧୁ ଜଳ ?

କାଂଚୀ ଅଭିଯାନେ ମାଡିଆସୁଛନ୍ତି

ଉତ୍କଳ ସଇନ ବଳ।


କାବେରୀ ସେପାରି ଛାଉଣୀ ପକାଇ

ରହିଛନ୍ତି ଗଜପତି,

ଆଖି ପାଉନାହିଁ ଦଶକୋଶ ଭୂମି-

ବ୍ୟାପି ସୈନ୍ୟ ରହିଛନ୍ତି ।


ସୈନ୍ୟ ଅଗ୍ରଭାଗେ ରହିଛନ୍ତି ଦର୍ପେ

ସ୍ୱୟଂ ଉତ୍କଳ କେଶରୀ,"

ଶୁଣି ଦୂତମୁଖୁ ଏ ସମ୍ବାଦ, ଶାଲ୍ୱ

ମହା କୋପେ ଗଲେ ଥରି।


ବୋଇଲେ "ଚଣ୍ଡାଳ ଥରେ ଯୁଦ୍ଧ ହାରି,

ଲଜ୍ୟା ନାହିଁ ତା ମୁହଁରେ,

ଶୃଗାଳ ଆସିଛି ପୁଣି ଯୁଦ୍ଧପାଇଁ

ସିଂହତୁଲେ କି ଦମ୍ଭରେ !


ଝାଡୁକାମ ଛାଡି, ଆସିଛି ଦଉଡି

ମୋ ସଙ୍ଗେ କରିବ ରଣ !

ଯୁଦ୍ଧକୁ ଭାବିଛି ରଥ ଓଳାଇବା ପରି

ସାଧାରଣ କାମ?


ଏଥର ଯୁଦ୍ଧରେ ହରାଇ ତାହାକୁ

ହାତରେ ଝାଡୁ ଧରାଇ,

ପରିଚାର କରି ରଖିବି ପ୍ରାସାଦ

ନିତି ଓଳାଇବା ପାଇଁ ।"


ଶୁଣି ସେନାପତି, ବୋଇଲେ "ଭୂପତି !

ନକର ହେ ହେୟଜ୍ଞାନ ,

ସମ୍ମୁଖ ଯୁଦ୍ଧରେ ଓଡିଆ ପାଇକ

ସାକ୍ଷାତ ଯମ ସମାନ।


ଶଂସପ୍ତକ ସମ ,ନିଜ କ୍ରିୟାକର୍ମ-

ବ୍ୟବସ୍ଥା କରି ଦିଅନ୍ତି,,

"ଫେରିବାର ଆଶା ନରଖିବ" ବୋଲି

ପତ୍ନୀକୁ ବୁଝାଇ ଥାନ୍ତି।


ନିଜ ଖଡଗରେ ନିଜ ହାତ ଚିରି,

ଲଗାଇ ରକ୍ତ ଲଲାଟେ,

ନିଜକୁ ସମର୍ପି ଦିଅନ୍ତି ପାଇକେ

ରଣଚଣ୍ଡୀ ବଳି ପୀଠେ।


ପଛଘୁଂଚା ନାହିଁ ପାଇକ ଜାତକେ

ମାରନ୍ତି ଅବା ମରନ୍ତି,

ନିଜ ପ୍ରାଣ ଲୋଭେ ସମର ପ୍ରାଙ୍ଗଣୁ

ଡରି କେବେ ନଫେରନ୍ତି।


ଗତ ଯୁଦ୍ଧ କାଂଚୀ ଜିଣିଗଲା ବୋଲି

ଶତ୍ରୁକୁ ମଣିଲେ ହେୟ,

ଫଳାଫଳ ହେବ ବିଷମ ମଣିମା !

ପରାଜୟ ହେବ ଶ୍ରେୟ।"


ବୋଲିଣ ଏମନ୍ତ, ସୈନ୍ୟଙ୍କୁ ଏକତ୍ର

କରି କାଂଚୀ ସେନାପତି,

ଦେଇ ଉଦ୍ବୋଧନ ରଣ ପ୍ରାଙ୍ଗଣକୁ

ଚଳିଲେ ଫୁଲାଇ ଛାତି।


ଗଜପତିଙ୍କର ଆକ୍ରମଣ ବାର୍ତ୍ତା

ପ୍ରାସାଦେ ପ୍ରସରି ଗଲା,

କାନରେ ପଡନ୍ତେ, ରାଜଜେମା-ପ୍ରୀତି-

ଲତା ପଲ୍ଲବିତ ହେଲା।


ଶୁଷ୍କଥିଲା ସିନା ମନ ଫଲ୍ଗୁ; ପ୍ରୀତି-

ଥିଲା ଯେ ଅନ୍ତଃସଲୀଳା,

ପ୍ରିୟତମ ସଙ୍ଗେ ପୁନଃମିଳନର

ଆଶା ଉଜ୍ଜିବିତ ହେଲା।


ଶୁଖିଯାଇଥିବା ଆଶା ଲତା ମୂଳେ,

ଏ ସମ୍ବାଦ ଜଳ ପଡି,

ପଲ୍ଲବିତ ହେଲା ସେ ଲତା ,ତହିଁରେ

ଧରିଲା ପୀରତି କଢି।


ଯୁଦ୍ଧ ଭୟାବହ କଥା ଭାଳି କେବେ

ମନ ହୁଏ ସଂକୁଚିତ,

ସମ୍ଭାବ୍ୟ ଉତ୍କଳ-ବିଜୟ ବି କେବେ

ମନ କରେ ପ୍ରଫୁଲ୍ଲିତ ।


କଳ୍ପନା ରାଜ୍ୟରେ ବୁଲି ରୂପାମ୍ବିକା

ଦେଖିଲେ,'ପୁରୁଷୋତ୍ତମ,

ଯୁଦ୍ଧ ଜୟକରି ,ତାଙ୍କୁ ସଙ୍ଗେଧରି,

ଫେରୁଛନ୍ତି ପୁରସ୍ତମ।


ମହା ଆଡମ୍ବରେ ନୃପଙ୍କ ସଙ୍ଗରେ

"କଲ୍ୟାଣମ୍" ସମ୍ପୂର୍ଣ୍ଣ କରି,

ଗଭୀର ଦାମ୍ପତ୍ୟ ପ୍ରେମ ତଟିନୀରେ

ବାହୁଛନ୍ତି ପ୍ରୀତି ତରି।'


ସ୍ୱପ୍ନ ଭାଙ୍ଗିଗଲା ସମ୍ବିତ ଫେରିଲା

ମନ ପଡିଗଲା ଫିକା,

ଭୟାବହ ଯୁଦ୍ଧ ଚିନ୍ତା ଜେମାଙ୍କର

ମନରେ ଆଣିଲା ଶଙ୍କା।


କ୍ରମଶଃ-----


Rate this content
Log in

Similar oriya poem from Classics