Niranjan Mishra

Classics

4  

Niranjan Mishra

Classics

ପୁରୁଷ

ପୁରୁଷ

2 mins
257



ପରମ ପୁରୁଷ ସୃଜିଲେ ବ୍ରହ୍ମାଣ୍ଡ

ବ୍ରହ୍ମା ତାହାଙ୍କର ସୃଷ୍ଟି ।

ବ୍ରହ୍ମା ସାରା ସୃଷ୍ଟି ସରଜନା କଲେ

ବୋଲାଇଲେ ପରମେଷ୍ଠୀ ॥୧॥

ସେ ପୁରୁଷଙ୍କର ସହସ୍ର ମସ୍ତକ

ସହସ୍ର ଲୋଚନ ଜାଣ ।

ସହସ୍ର ପାଦରେ ବ୍ୟାପ୍ତ ଚରାଚରେ

ଅଧଃ ଉର୍ଦ୍ଧ୍ବେ ବିଦ୍ୟମାନ ॥୨॥

ଯାହା ବିଦ୍ୟମାନ ଭୂତ ଭବିଷ୍ୟତ

ସର୍ବର୍ତ୍ର ସେ ବିରାଜିତ ।

ଏକ ପାଦ ଅଂଶ ବିଭୁତିରେ ତାଙ୍କ

ବ୍ୟାପ୍ତ ଏ ସାରା ଜଗତ ॥୩॥

ଅପର ତ୍ରିପାଦ ଭୂମିରେ ବୈକୁଣ୍ଠ

ଗୋଲୋକ ସାକେତ ଶିବ ।

ଦିବ୍ଯ ଲୋକମାନ ରହିଛନ୍ତି ସ୍ଥିତ

ପୁରାଣ ପୁରୁଷ ଧ୍ରୁବ ॥୪॥

ମାୟାମୟ ଯୁକ୍ତ ଏଇ ଜଗତର

ଉର୍ଦ୍ଧ୍ବରେ ସ୍ଥିତି ତାଙ୍କର ।

ଜଡ ଚେତନ ଉଭୟ ଜଗତରେ

ରହିଛି ବ୍ୟାପ୍ତି ତାଙ୍କର ॥୫॥

ସେ ଆଦିପୁରୁଷ କରତା ସୃଷ୍ଟିର

ସୃଜିଲେ ଅଧିପୁରୁଷ ।

ହିରଣ୍ୟଗର୍ଭଙ୍କୁ ,ତାଙ୍କରି ତେଜରେ

ସୃଷ୍ଟି ହୋଇଲା ପ୍ରକାଶ ॥୬॥

ଭୂମି ଦେବ ଦାନବ ତୀର୍ଯ୍ୟକଯୋନି

ସୃଷ୍ଟ ହେଲେ ତାଙ୍କଠାରୁ ।

ଦଧି ଘୃତ ପଶୁ ବେଦ ମନ୍ତ୍ର ଛନ୍ଦ

ଅଶ୍ବ ମେଣ୍ଢା ଛାଗ ଗୋରୁ ॥୭॥

ଦେବଗଣ ସାଧ୍ଯ ଋଷି ସେ ପୁରୁଷ

ତାପରେ କଲେ ସର୍ଜନ ।

କୁଶ ଅଭିଷିକ୍ତ କରାଇ ତହିଁରେ

ସେମାନେ କଲେ ଯଜନ ॥୮॥

ବିଭାଜନ ଯେବେ ହେଲା ତାହାଙ୍କର

ବିକଳ୍ପନା ଜନମିଲା  ।

ମୁଖ ବାହୁ ଜଙ୍ଘ ପାଦ ତାହାଙ୍କର

କାହାକୁ କହିବା ଭଲା ॥୯॥

ମୁଖରୁ ଜନମ ହୋଇଲେ ବ୍ରାହ୍ମଣ

କ୍ଷତ୍ରିୟ ବେନି ଭୁଜରୁ ।

ଉଭୟ ଊରୁରୁ ବୈଶ୍ୟ ଜନମିଲେ

ଶୂଦ୍ର ଜନ୍ମିଲେ ପାଦରୁ ॥୧୦॥

ମନରୁ ଚନ୍ଦ୍ରମା ହୋଇଲେ ଉତ୍ପନ୍ନ

ସୂର୍ଯ୍ୟ ତାଙ୍କ ନୟନରୁ ।

କର୍ଣ୍ଣରୁ ବାୟୁ ପ୍ରାଣ ହେଲେ ଉତ୍ପନ୍ନ

ଅଗ୍ନି ଜନ୍ମିଲେ ମୁଖରୁ  ॥୧୧॥

ନାଭିରୁ ଉତ୍ପନ୍ନ ଅନ୍ତରୀକ୍ଷ ଲୋକ

ମସ୍ତକେ ସ୍ବର୍ଗ ପ୍ରକଟ ।

ପାଦଯୁଗଳରେ ପୃଥିବୀ କାନରେ

ଦିଗ ହୋଇଲେ ପ୍ରକଟ ॥୧୨॥

ହବିଃ ରୂପ ବିସ୍ତାରିତ ସେ ପୁରୁଷ

ଦେବଗଣ ଯଜ୍ଞ ଦ୍ବାରା ।

ବସନ୍ତ ଘୃତ ଗ୍ରୀଷ୍ମ କାଷ୍ଠ ଶରତ

ହବିର ସାମଗ୍ରୀ ସାରା ॥୧୩॥

ବିରାଟ ପୁରୁଷ ହୋଇଲେ କଳ୍ପିତ

ଯଜ୍ଞ କରିଲେ ଦେବତା ।

ବାନ୍ଧିଲେ ପୁରୁଷରୂପୀ ପଶୁ ସପ୍ତ

ସମୁଦ୍ର ପରିଧି ଥିଲା ତା ॥୧୪॥

ଏକବିଂଶ ଛନ୍ଦୁ ସାତ ସାତ

ପ୍ରକାରର ସମିଧା ହୋଇଲେ ।

ଦେବଗଣ ପୂର୍ବୋକ୍ତ ରୂପରେ ତାଙ୍କ

ଯଜ୍ଞ ଆରାଧନା କଲେ ॥୧୫॥

ସେ ଯଜ୍ଞରୁ ଧର୍ମ ଜାତ ହେଲେ ଆଗେ

ସେ ଧର୍ମ ଆଚରଣରେ ।

ମହିମାନ୍ଵିତ ହୋଇ ସେ ଦେବଗଣ

ରହିଲେ ଯାଇ ସ୍ବର୍ଗରେ ॥୧୬॥

ଯହିଁ ରହିଛନ୍ତି ସାଧ୍ଯଦେବଗଣ

ପ୍ରାଚୀନ କାଳରୁ ଯାଇ ।

ସର୍ବେ ଯୋଡି କର ସ୍ତୁତି କରିବା

ପରମ ପୁରୁଷଙ୍କୁ ଧ୍ୟାୟି ॥୧୭॥


Rate this content
Log in

Similar oriya poem from Classics