ହେ ଜଗତନାଥ
ହେ ଜଗତନାଥ
ତୁମ ଠାରୁ ମୋ ପରି ନରାଧମକୁ
ଦୂରକୁ ଦୂରେଇ ଦେଇ କୁହ
କେଉଁ ସୁଖ ଶାନ୍ତି ଲଭିବ
ହେ ଜଗତନାଥ ଜଗତସାଇଁ?
ଧନ ଜନ ଐଶ୍ଵର୍ଯ୍ୟ ରାଜପଦ
କେବେ ଦେଇ ତ ନଥିଲ
ଦେଇଥିଲ ଶୁଦ୍ଧ ପୁତ ଶୁଭ୍ର ଏକ ମନ
ସେ ମନ ଚନ୍ଦ୍ରରେ ଲାଗିଛି କଳଙ୍କ ଗ୍ରହଣ
ଷଡରିପୁ ତହିଁ ଥାପିଛି ଆସନ।
ତବ ପାଦ ପଦ୍ମେ ସମର୍ପି ଦେଇଣ
ତନ ମନ ଯଉବନ ଜୀବନ
ମାଗି ନାହିଁ ଦିନେ ରାଜ ସିଂହାସନ
ଅବା ରମଣୀୟ କାମିନୀ କାଞ୍ଚନ।
ଏ ବିଶାଳ ମହୀରେ ମୁଁ କ୍ଷୁଦ୍ର ମାନବ
କ୍ଷୁଦ୍ର ମୋର ଆଶା ଅଭିଳାଷା
କାମନା କରଇ ତୁମର ଆଶିଷ
ଥାଉ ସଦା ମୋର ଶୀର୍ଷେ।
ତୁମ ପାଶେ କରି ଆତ୍ମ ସମର୍ପଣ
ଭୁଲିଛି ସଂସାର ଜଞ୍ଜାଳ ସକଳ
କ୍ଷୁଦ୍
ର ମୋର ପ୍ରାଣ କ୍ଷୁଦ୍ର ଆଚରଣ
କରିଦିଅ କ୍ଷମା ଆହେ ଆର୍ତ୍ତତ୍ରାଣ।
ହେ ଜଗତନାଥ!
ତୁମ୍ଭ ପାଦ ତଳୁ ମୋତେ
ଠେଲିଦେଇ ଦୂରକୁ
କେଉଁ ମଧୁତୃପ୍ତି ଲଭିବ ହେ?
ତୁମ୍ଭ ଶ୍ରୀରଙ୍ଗାଚରଣେ ଦିଅ ବାରେ ସ୍ଥାନ
ମୁହିଁ ଛାର ପତିତ ମ୍ଳେଛ ଅକିଞ୍ଚନ
ଦୂର କରିଦିଅ ମୋର ଯାତନା କଷଣ
ଆତ୍ମା ମୋହର ଲଭୁ ମୋକ୍ଷ ନିର୍ବାଣ।
ନିୟତିର ନିଷ୍ଠୁର ସଂଘାତେ
ଆଜି ମୁହିଁ ରସାତଳଗାମୀ
ବାରେ ତୋଳି ନିଅ କରେ
ହେ ପ୍ରଭୁ ଅନ୍ତର୍ଯ୍ୟାମୀ।
ମୋ ଦୁଃଖ ବୁଝିବାକୁ ତୁମ ଭଳି
ଆଉ କେହି ନାହିଁ ତ ଦରଦୀ
ତୁମେ ଥାଉ ଥାଉ ମୁଁ ଭାସିଗଲେ
ତୁମ ବଡ଼ ପଣେ ବଡ଼ ନାମେ
ଲାଗିବ କାଳିମା ଟିକା
ହେ ଜଗତନାଥ ଜଗତସାଇଁ।