କାଳୀୟ ଦଳନ ବେଶ
କାଳୀୟ ଦଳନ ବେଶ
ନୀଳାଚଳେ ବସି ଘନ କାଳିଆ ମୋ
ହେଉ କେତେ ରଙ୍ଗେ ବେଶ
ସତ୍ୟ , ତ୍ରେତୟା ଓ ଦ୍ଵାପର ସ୍ମୃତି
ଦୋହରାଇ ହେଉ ତୋଷ ।
କାଳୀୟ ଦଳନ ବେଶ ଅନୁପମ
ଅପୂର୍ବ ସେ ଶୋଭା କାନ୍ତି
ଭାଦ୍ରବ ମାସର କୃଷ୍ଣ ଏକାଦଶୀ
ଏଇ ବେଶର ଯେ ତିଥି ।
ପ୍ରତି ଯୁଗେ ତୋର ମାନବୀୟ ଲୀଳା
ମାନବ କଲ୍ୟାଣେ ସୃଷ୍ଟି
ଦ୍ଵାପର ଯୁଗର ଲୀଳା ଅନୁପମ
ଦିଏ ଜୀବନର ଦୃଷ୍ଟି ।
ଏଇ ବେଶେ ତୁହି ରତ୍ନ ସିଂହାସନେ
କାଷ୍ଠ ପୟରେ ବିରାଜୁ
କାଳୀୟ ନାଗର ଫଣା ଉପରେ ତୁ
ନୃତ୍ୟ ରତ ହୋଇ ଥାଉ ।
କାଳୀୟ ନାଗର ଲାଞ୍ଜ ବାମ ହାତେ
ଶିଙ୍ଗା କରି ଧରି ଥାଉ
ଅନ୍ୟ ହାତରେ ଯେ ଫୁଟା ପଦ୍ମଫୁଲ
କି ସୁନ୍ଦର ଦିଶୁ ଥାଉ |
ବଡ଼ ଭାଇ ହସ୍ତେ ହଳମୂଷଳ ଯେ
ସୁବର୍ଣ୍ଣ କିଆର ଶୋଭା
ସ୍ଵର୍ଣ୍ଣ ଅଳଙ୍କାରେ ବିମଣ୍ଡିତ ହୋଇ
ବଢାଉ ଥାଅ ଯେ ଆଭା ।
>
ପାଖରେ ସଜ୍ଜିତ କାଠରେ ନିର୍ମିତ
କେତେ ଯେ ଗାଈ ବାଛୁରୀ
ଦେଖି ଦେଲେ ଭକ୍ତ ଦ୍ଵାପର ଲୀଳାରେ
ମୋହିତ ହୁଏ ମୁରାରୀ ।
ନୀଳକନ୍ଦରରେ ପୂଜାବିଧି ସାରି
ଚଳନ୍ତି ପ୍ରତିମା ଚଳେ
ମାର୍କଣ୍ଡେୟ ପୁଷ୍କରିଣୀ ଧନ୍ୟ ହୁଏ
କାଳିଦଳନ ଲୀଳାରେ ।
ସେ ଲୀଳା ଦେଖିଲେ ମନ ମୋହିଯାଏ
ଭକ୍ତ ଚକ୍ଷୁ ହୁଏ ଧନ୍ୟ
ଆନନ୍ଦେ ବିଭୋର ଭକତ ଜନ ଯେ
ଦ୍ଵାପର ଲୀଳାରେ ଲୀନ ।
ଧନ୍ୟ ମୋ କାଳିଆ ଧନ୍ୟ ତାର ବେଶ
ଜୀବନ ତତ୍ତ୍ଵ ପରସେ
ଗର୍ବ ଅହଂକାର ପରିଣାମ କଥା
ଜନ ସମାଜକୁ ଦିଏ ।
ସ୍ରଷ୍ଟା ଦେଇଥିବା ପ୍ରତ୍ୟେକଟି ଦାନ
ଆମ ପାଇଁ ଯେ ପ୍ରସାଦ
ଜନ ହିତ ପାଇଁ ଲଗାଇବା କାମ
ଆମ ଇଚ୍ଛା ପରେ ସ୍ଥିତ ।
ପ୍ରଭୁ ଦତ୍ତ ଦାନ ଦୁରୁପଯୋଗ ର
ଭୟଙ୍କର ପରିଣାମ
ମୋ କାଳିଆ କାହ୍ନୁ ଚେତାଇ ଦେଉଛି
ସର୍ବେ ହେବା ସାବଧାନ