ପୁନଶ୍ଚ ଘୋଷିବ ମହୀ
ପୁନଶ୍ଚ ଘୋଷିବ ମହୀ
ଆସ ଆସ ମୋର ସନ୍ତାନ ସକଳ
ମୋ ପଣତ ଆଢୁଆଳେ,
ନିର୍ଭୟରେ କୁହ ଗୋଟିଏ ମାଆର
ପୁଅ ଝିଅ ଧରା ତଳେ ।
ନାହିଁ ଭେଦାଭେଦ ଆମରି ଭିତରେ
ମାଳାର ଅନେକ ଫୁଲ,
ସାହସ, ଶକତି, ଧୈର୍ଯ୍ୟ, ସହ ଅଛି
ସ୍ୱାଭିମାନ, ଅଗ୍ନିଝୁଲ ।
ପୂର୍ବ ଶୂରୀଙ୍କର ରକତ ବୋହୂଛି
ଆମ ଦେହେ ଟକମକ,
ଦେଶ ଜାତି ହିତେ ବଳିଦାନ ଦେଇ
ରଖିଛନ୍ତି ଯିଏ ଟେକ ।
ଅରି ଆସି କେହି ଆଖି ଦେଖାଇଲେ
ପାତି ଦେବୁନାହିଁ ଛାତି,
ପ୍ରତିରୋଧ ତା'ର କରିବୁ ସଦମ୍ଭେ
ପଳାଇବ କରି ଭୀତି ।
ସତ୍ୟ, ଶାନ୍ତି, ଦୟା, କ୍ଷମା ସଦଗୁଣେ
ନେବୁ ଆନ ମନ ମୋହି,
ଅଖଣ୍ଡ ଭାରତ ବିଶ୍ଵଗୁରୁ ଭାବେ
ପୁନଶ୍ଚ ଘୋଷିବ ମହୀ ।
ଶାନ୍ତ ହେବ ତେବେ ପରାଣ ମୋହର
ଉଲୁସି ଉଠିବ ହିଆ,
ମଥା ଉଚ୍ଚ କରି ସଭିଙ୍କୁ କହିବି
ମୁଁ ତାଙ୍କ ଭାରତ ମାଆ ।