ପୁନେଇଁ ଜହ୍ନର ହସ
ପୁନେଇଁ ଜହ୍ନର ହସ
ହସେଯେବେ ସେଇ
ପୁନେଇଁ ଜହ୍ନଟି
କିଆ ଗୋହିରୀର ତଳେ
ତାକୁ ଦେଖି କଇଁ
କଣେଇଁ ଚାହିଁକି
ଆଖିର ଅଶ୍ରୁ ଢାଳେ ।
ବିଲୁଆ ନନାଙ୍କ
ସମବେତ ସ୍ବର
ଶୁଭେ ନଈ ପଠା ପରେ
ସଫେଦ ଚାଦର
ଘୋଡେଇ ଚନ୍ଦ୍ରମା
ଦୋଳି ଖେଳେ ବଉଦରେ ।
ଭିଜା କାକରର
ଶିଶିର ବିନ୍ଦୁକୁ
ଘାସ ଆମନ୍ତ୍ରଣ କରେ
ମୁକୁତା ଭାବି ସେ
ଜଡେଇ ଧରେ ତା
ତତଲା ବୁକୁ ପରେ ।
ତୁମେ ଦେଇଥିଲ
ଚିଠିଟିଏ କେବେ
ପଢିଥିଲି ନିରୋଳାରେ
ଏବେ ସେଇ ଚିଠି
ପଢିଲେ କାହିଁକି
ତମ କଥା ମନେ ପଡେ ।
ମନେପଡେ ସେଇ
ହଜିଲା ଅତୀତ
ଯିଏ ଥିଲା ପ୍ରତିକୂଳେ
ଅନୁକୂଳ ଏଇ ବର୍ତ୍ତମାନ ବୋଲି
ତୁମକଥା ବସି ଭାଳେ
ବହଳ ଅନ୍ଧାର ଛପେଇ
ଦେଉଛି ତା ଅନ୍ଧାର ଛାତି ତଳେ
ଅଣନିଶ୍ବାସୀ ଲାଗୁଛି
ଆଜି ଅସହାୟ ମୁହୁର୍ତ୍ତରେ ।