ପୁଲକ-୭ ଘାସ ଫୁଲ ଓ ଆକାଶ-୨
ପୁଲକ-୭ ଘାସ ଫୁଲ ଓ ଆକାଶ-୨
ଅନ୍ଧକାରେ ଆଲୋକ ଟିକିଏ ପାଇଁ
କି ଦୁଃସହ ବ୍ୟାକୁଳତା ,
ମୁହଁ କୁ ଦିଶେ ନା ମୁହଁ
ଦୁଇପୁଡା ନିଃଶ୍ୱାସ ପ୍ରଶ୍ୱାସ ବାରି ଜୀଇବାକୁ ପଡ଼େ,
ଘାସ ଫୁଲ ! କଥା ଦିଅ!!
ସଙ୍ଖୋଳିବା ଜୀବନକୁ ଡହଡହ ଅଗ୍ନି ପରୀକ୍ଷା ରେ ।
ବନ୍ୟା ବାତ୍ୟା ଭୂମିକମ୍ପ
ଦାରୁଣ ନିଦାଘ ତାପ
ମୁଣ୍ଡେ ବହି ଅସରନ୍ତି ଦୁଃଖ ର ପାହାଡ଼,
ଶୁଖିବାକୁ ଦେବା ନାହିଁ ଚିରନ୍ତନୀ ମମତାର ନିର୍ଝର;
ଘାସ ଫୁଲ! କଥା ଦିଅ!!
ନିରେଖିବା ପ୍ରାଣମୟୀ ନିଳିମାକୁ ଆତ୍ମଦାହୀ ଅଶ୍ରୁପାତ ଦହଗଞ୍ଜ ହତାଶି ଆଁରେ ।
ପ୍ରେମର ନାହିଁ ବିନାଶ ଜରା ବ୍ୟାଧି ମୃତ୍ୟୁ
ଅନନ୍ତ ପ୍ରେମ ରେ ଜନ୍ମ ହୁଏ ବାର ବାର
ଜୀବନ କଅଁଳି ଉଠେ ଧରାବୁକେ ଗଗନେ ପବନେ;
ଘାସ ଫୁଲ! କଥା ଦିଅ!!
ଶ୍ୟାମ ତୁମ ଆଗମନୀ ସୁରେ
ଜୀବନ ମେଘାଇ ଉଠୁ
ଅବିକଳ ତୁମ ରୂପ ତୁମ ରସ ଗୁଣେ ।
ଯଦି ତୁମେ ଭାଙ୍ଗି ପଡ କ୍ଷଣିକ ଦୁଃଖ ରେ
ଆନମନା ଗୁମାନୀ କପୋତୀ ପରି ବସ ତରୁ ଡାଳେ,
ବିରାଗେ ବାହୁନି କୁହ- ଆଗୋ ପ୍ରିୟତମ !
ଅନିତ୍ୟ ଏଇ ସଂସାର, ଦୂରୁହ ସବୁଜ ସ୍ୱପ୍ନ,
ଜୀବନରେ ମୁକ୍ତି କାହିଁ କୁହ ?
ଏ ଆକାଶ ଉବାଚିବ ପକ୍ଷବାନ କପୋତଟି ହୋଇ -
ପ୍ରାଣ ସଖୀ! ଘାସ ଫୁଲ !! ମୋ କପୋତୀ ରାଣୀ !!!
ପ୍ରେମ ଅଟେ ଚିରନ୍ତନ
ବତୁରେ ସବୁଜ ସ୍ୱପ୍ନ
ମୁକ୍ତିର ମୂଳମନ୍ତ୍ର ଲିପିବଦ୍ଧ ତୁମ ମୋ
ପ୍ରତି ବକ୍ଷ ନୀଳ ଅକ୍ଷରରେ ।
---------

