STORYMIRROR

Jogindra Panda

Abstract

3  

Jogindra Panda

Abstract

ପ୍ରତ୍ଯୁତ୍ତର

ପ୍ରତ୍ଯୁତ୍ତର

1 min
277


 ଧର୍ମ ଅଧର୍ମର  ରାଜଦାଣ୍ଡେ ଚାଲେ 

    ପାପପୁଣ୍ଯର ବିଚାର 

ସାତ ଦଣ୍ଡି ପ୍ରାଣ  ଛଅ ଖଣ୍ଡି କାଷ୍ଠେ

    ଲୋଡ଼େ କୃତ ଉପଚାର ।।

ଲୁବ୍ଧକ ଆତ୍ମବ-  ଡ଼ିମାରେ ହୁଙ୍କାରେ

    ଭୁଲେ ମାଟିର ଆଶ୍ରୟ

ଜନତାର ଦର-  ବାରେ ଖୋଲିଯାଉ

     ସତ୍ଯାସତ୍ଯ ପରିଚୟ ।।

ରାଜପ୍ରାସାଦଟି  ଅଧର୍ମ ବିତ୍ତରେ

     ହୋଇଥିଲା ଯଦି ଗଢ଼ା

ଅଷ୍ଟଶମ୍ଭୁ,ଅଷ୍ଟ-  ଚଣ୍ଡୀ ମହାନଦୀ

     ଚିର କେଉଁଥିରେ ଛିଡ଼ା ?

ଘିଅ ମହୁ ଭାସେ  ଯଦି ଲୋକପ୍ରତି-

     ନିଧି ଶାସନ ସମୟେ 

ଦୁର୍ନୀତି ନିବାରଣ   କାର୍ଯ୍ଯାଳୟରେ

  କିଆଁ ଥାକ (ମାମଲାରେ)ପୂର୍ଣ୍ଣ ହୁଏ ?

 ଗ୍ରାମପାଳ ଠାରୁ  ନେତା,ମନ୍ତ୍ରୀ ଯାଏ

      ଧରମଦାଣ୍ଡରେ ଥାଇ

ବକ୍ଷେ ହସ୍ତ ଥାପି  କହିଥିଲେ ଯାହା 

      କ୍ଷମତା ଦିଏ ଭୁଲାଇ ।।

ଅଧର୍ମ ପାଚେରୀ  ଟୁକୁଡ଼ା ସାଙ୍ଗରେ

     ଧରମେ ଗଢ଼ା ସଉଧ

ପରକ୍ଷିଲେ ଲୁହ,  ଲହୁ,ସ୍ବେଦ ଜଣା

     ପଡ଼ିଯିବ ହେ ବିବୁଧ !

ସ୍ବାଧୀନତା ଠାରୁ  ଆଜି ପରିଯନ୍ତେ

     କେଉଁ ପ୍ରତିନିଧି କେତେ 

ବିକାଶ ପୁରୁଷ  ସାଜିବା ତାଲିକା 

    ଗଳେ ଲମ୍ବିଯିବ ଯେତେ ।।

ବରଷକୁ କେତେ  ଅର୍ଥ ଅନୁଦାନ 

   ଶିକ୍ଷା, ସ୍ବାସ୍ଥ୍ୟ, ପ୍ରଶାସନେ

ପର୍ଯ୍ୟଟନ, ବନ,  ସଡ଼କ ନିର୍ମାଣ

   ମହିଳା ବିକାଶ ନାମେ ।।

ଶିଶୁ ଖାଦ୍ୟ, ଜନ-  ଜାତି, ଉପଜାତି 

   ଯେତେ ଯେତେକ ଯୋଜନା

କାଗଜପତ୍ରେ ଯା'  ମିଛେ ସାଇତିଛ 

    ପୋଡ଼ି କରିଦିଅ ଚୁନା ।।

ବାସ୍ତବତା ଧ୍ବଜା  ଉଡ଼ାଇ ଦେଖାଅ

     ସର୍ବସାଧାରଣ ସ୍ଥାନେ

କୁଟି,କାଟି କେତେ  ଖାଣ୍ଟି ଖୁଣ୍ଟି ଯେତେ

    ପ୍ରିୟା ପୀରତି ଗୋପନେ ।।

କେତୋଟି ଗଢ଼ିଛ ?  କେତେ ଯେ ଭାଙ୍ଗିଛ

     ହିସାବ ତାଲିକା କର

ସମାଜରେ ଯାହା  ଆପଣା ସ୍ବାର୍ଥରେ

     ବାଣ୍ଟିଛ ଆପଣା ପର ।।

ଅନ୍ଧଭକ୍ତ କହି  ଆରୋପ ଅନ୍ଯରେ

     ତୁମେ କେଉଁ ଭକ୍ତେ ଗଣା

ଅନ୍ଧାରିଆ ବିଜେ  ଭିତିରିଆ ଶେଜେ

     ବିତାଇ ହୋଇଛ ବଣା ।।

ଅଧରମେ ଗଢ଼ା  ଯେତେ କାନ୍ଥ,ବାଡ଼

      ସାଇତିଛ କାହାପାଇଁ

ତାକୁ ଛାଡ଼ିଦେଲେ  ଶୂନ୍ଯ ତୁମ ଚିହ୍ନ 

      ମାଟିରେ ଯିବ ମିଳାଇ ।।

ବାହାସ୍ଫୋଟ କିଆଁ  କେତେ ତୋଷାମଦି

     କାରବାରେ ଲିପ୍ତ ତୁମେ

ରାଧେ ରାଧେ ଅଧେ  ଅଧେ ଆପଣେଇ

     ସମାଜରକ୍ଷକ ନାମେ ।।

ଦଳିତ,ପତିତ,  ବେସାହାରା,ଦୀନ

    ଅନାଥଙ୍କ ସେବା ଆଳେ

କେତୋଟି ପ୍ରସ୍ତର  ଫଳକ ସ୍ଥାପିଛ

    ଆସ୍ଫାଳନ ମହୀତଳେ ।।

ମଉଜମସ୍ତିରେ  ଦିନ ବିତେ ତୁମ୍ଭ

    ହରିଲୁଟ୍ ରେ ତ୍ରାହି ତ୍ରାହି 

ଜନତା ବୋବାଳି, ଆର୍ତ୍ତର ଚିତ୍କାର 

    କର୍ଣ୍ଣେ କିବା ନ ଶୁଭଇ ।।

ବୁଲାପଶୁ ଠାରୁ  କଦର୍ଯ୍ଯ ବେଭାର

    ଦେଖାଅ କିଆଁ ଜନରେ ?

ଯା' ସାଉଁଟୁଅଛ  କରମୁ ପାଲଟି

    ଯିବ ନିନ୍ଦା-ଜହରରେ ।।

ଅତୀତ ଅଫେରା  ଭବିଷ୍ଯତ ଅନି-

     ଶ୍ଚିତ ବର୍ତ୍ତମାନ ସାର

ଏବେ ବି ସମୟ  ଯା' ପାଉଛ ତାକୁ

     ସତ୍କର୍ମେ ଆବୋରି ଧର ।।

ନେଡ଼ି ଗୁଡ଼ କହୁ-  ଣୀକୁ ବୁହାଅନା

     କର୍ତ୍ତବ୍ୟ ପଥକୁ ବାଛ

ଲେସରେ ଦେଶ,  ଦଶର ହିତ ସାଧ

     ବହିବ ଉଜାଣି ସ୍ରୋତ ।।

ଜାଗି ଜଗାଅ  ପୌରୁଷ ପଣ ବାଣ୍ଟ 

      ଦାୟିତ୍ବ କରମ ମୂଳ

ଅମୃତ ବେଳାରେ  ଆଦରି ନିଅନା

     ଘୃଣ୍ଯ ମହାକାଳ ଫଳ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract