Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jogindra Panda

Inspirational

3  

Jogindra Panda

Inspirational

ସମ୍ପର୍କର ନଦୀତୀରେ

ସମ୍ପର୍କର ନଦୀତୀରେ

2 mins
161



ସମ୍ପର୍କ, ସେ ପୁଣି ଉତ୍ତମ ସମ୍ପର୍କ, ଗଭୀର 

ଅଙ୍ଗାଙ୍ଗୀ ସମ୍ପର୍କ ।

ସମ୍ପର୍କ, ସେ ପୁଣି ମଧୁର ସମ୍ପର୍କ, ଜନନୀ, ଭଗିନୀ,ଜାୟା,ସଖିର ସମ୍ପର୍କ ।

ସମ୍ପର୍କ, ପରିବାର, ସମାଜ, ରାଜଦ୍ବାର,

ଶ୍ମଶାନଘାଟର,ବାର୍,ରାତ୍ରି ଆସରର ।

ସେ ପୁଣି ଗୁରୁଶିଷ୍ୟ, ସଜୀବ ନିର୍ଜୀବ 

ଆତ୍ମା ପରମାତ୍ମା, ଶୂନ୍ୟ ପୂର୍ଣ୍ଣତାର ।

ସବୁଠି ସମ୍ପର୍କ, ଭୁମିଠାରୁ ଭୂମାଯାଏ

ପାତାଳୁ ଗଗନଯାଏ ଆଛାଦିତ ସୂକ୍ଷ୍ମଜାଲ।

ମାଆର ପଣତକାନୀଠୁଁ ରାସ୍ତା କଡ଼ର

ବୁଲା ବେସାହାରା ଆର୍ତ୍ତୀ, ବ୍ଯର୍ଥୀ ଯାଏ ।

ସମ୍ପର୍କର ସୂତାଖିଅରେ ବନ୍ଧା ସଚଳାଚଳ,

ଅଣୁ ପରମାଣୁ ବିବର୍ତ୍ତନ କାଳୁଁ ।

ଏକସୂତ୍ରେ ଗୁନ୍ଥା ପଞ୍ଚ ମହାଭୁତ,କାଳ ମହାକାଳ, 

ଶୂନ୍ୟ ମହାଶୂନ୍ଯ ।

ସମ୍ପର୍କର ମାୟାଜାଲେ ଛନ୍ଦାଛନ୍ଦି 

ଆରମ୍ଭ ଶେଷର,କୀଟୁଁ ବ୍ରହ୍ମଯାଏ ।

ଟିକି ଟିକି ସମ୍ପର୍କର ସମାହାରେ

ପରିପୁଷ୍ଟ ଅବିଶ୍ରାନ୍ତ ଯାତ୍ରାପଥ ।

ଚେତନ,ଅବଚେତନ,ଅଚେତନ

ସର୍ବତ୍ର ବିରାଜିତ ସମ୍ପର୍କର ସେତୁ ।

କେତେବେଳେ ଏକୁ ଛିନ୍ନ ଆରେକେ

ସଂଯୁକ୍ତ, ପୁଣ ନିର୍ଲିପ୍ତ ଅବା ଦ୍ରବିତ ।

ଯେନ କେନ ପ୍ରକାରେଣ ଯୋଡ଼ଶୂନ୍ଯ ରହିତ 

ସରବେ ସ୍ଥିତି ଯା' ସଦା ଚିରନ୍ତନୀ ।

ଅବଶ୍ୟ ସୁଷମ ବିଷମ ରୂପେ ବିହରେ,

ଉଙ୍କିମାରେ ମାତ୍ରାଧିକ୍ଯତାରେ ।

କେତେବେଳେ ବହିଯାଏ ବହିର୍ମୁଖୀ

ପ୍ରେମସିକ୍ତ ପୁତ ସ୍ରୋତସ୍ବିନୀ ।

ଆପଣେଇ ଦରଦୀ ହୃଦୟେ ଛଳଛଳ

ଆକ୍ଷିକୋଣେ ନିର୍ମାଲ୍ଯ ଝଲକ ।

ଅବା କେବେ ବିଚ୍ଛିନ୍ନତା,ବିଷର୍ଣ୍ଣତାର ତରଙ୍ଗାୟିତ 

ଉତ୍ତପ୍ତ ଲାଭାସ୍ରୋତେ ।

ବ୍ଯତିବ୍ଯସ୍ତ,ବିଧ୍ବଂସିତ ଅଳସ ତଟିନୀ 

ତଟ କଦାକାର,କୁତ୍ସିତ କୁରୂପେ ।

ବାସ୍ତବାନୁରୂପେ ପ୍ରତିଭାତ ନେତା ଭୋଟଦାତା,

କ୍ରେତା ଓ ବିକ୍ରେତା ।

ପରସ୍ପରେ ସମ୍ପର୍କର ଆଳେ ମୂଳ ଚାଟିବାରେ 

ଛଳି ଚାଟୁକାର ବାଣୀ ।

କେବେ କେବେ ଶିଥିଳ ପ୍ରଗତି ସମ୍ପର୍କର

ଦୁଃଖନଦୀ ଗର୍ଭେ କର୍ଦ୍ଦମାକ୍ତ ପଙ୍କେ ।

ଅବା କେବେ ଖରସ୍ରୋତା ପ୍ରତିକୂଳ ବାତେ

ଲୁଟାଧନ ସାଇତିବା ସାଥେ ।

ବେଳ ଅବେଳ ମାନେନା ସମ୍ପର୍କର 

ଚୋରା ଚଇତାଳୀ ହଠଯୋଗୀ ପ୍ରାୟେ ।

ସେ ଖଜୁରୀ ମୂଳରେ ହେଉ ଅବା ରାସ୍ତାକଡ଼ 

ବିଶ୍ରାମକକ୍ଷ ପାହାଚେ ।

ଫିକା ଦଦରା ଦରଫଟା ଓଠେ ଅବା

ମତୁଆଲା ବେଳାଭୁମି ପ୍ରାନ୍ତେ ।

ସମ୍ପର୍କର ଡୋରି ଧାରେ ନବାଗତା

ଅଚିହ୍ନା, ଅଜଣା,ମନଲୋଭା ସୁରେ ।

ଦୁରଭାଷ ଶକ୍ତିହୀନ ଲଭେ ଅଜାଣତେ

ପିପାସିତା ଗଭୀର ତୃଷ୍ଣାରେ ।

ହଜିଯାଏ ନିରିମାଖୀ ମାଆର କୋଳରୁ

ସଯତ୍ନେ ବର୍ଦ୍ଧିତା ଅଲିଅଳ ରକତ କଣିକା।

କଡ଼ଲେଉଟାଣି ରସତ୍ଯକ୍ତା ନିର୍ଧୂମ ବତାସେ

ଆପଣେଇ ବିଷାଦିତ ସ୍ବର ।

ସମ୍ପର୍କର ସପ୍ତରଙ୍ଗେ ଲାଗିଯାଏ କଳଙ୍କର ଛିଟା 

ଅନ୍ତ ଜୁଆରିଆ ଲୁଚକାଳି ଖେଳ ।

ଏଇତ ଜୀବନ !!!ସମ୍ପର୍କର ଅସଲି ଅସ୍ତିତ୍ବ

ଦୂର ଦିଗ୍ ବଳୟେ ହଜାଏ ନିଜତ୍ବ ।

ଭଙ୍ଗାଗଢ଼ା ସବୁଜିମା ସାଥେ ଉତ୍ତପ୍ତ ମରୁବାଲିରେ 

ସୀମାହୀନ ଯାତ୍ରା ।

ସବୁଚାଲେ ଏଠି,ରାତାରାତି ଉଦ୍ଭଟ ସ୍ବପ୍ନର  

ଅନ୍ତହୀନ ପିରାମିଡ଼୍ ନିଶା ।

ହତାଦର,ଅନାଦର,ସେ ବି ଏକୁଏକ ଅଙ୍ଗନିଭା 

ଅଭୁଲା ସମ୍ପର୍କ ।

ସଜଫୁଟା ଗୋଲାପ ବାସ୍ନା ମହକେ ମହକି 

ମତୁଆଲା ବସନ୍ତ ପାଲଟେ ମଳୟ ।

ଚନ୍ଦନଟୋପାରେ ଅନ୍ତର୍ଭେଦୀ ଶୀତଳତା ଭରେ 

ଆବିଳତାଶୂନ୍ଯ ଦରଦୀ ମନସା ।

ସବୁଠି ତା' ଉପସ୍ଥାନ,ସ୍ନେହମୟୀ ସମ୍ପର୍କର 

ଅରୁଣିମା ଛବି ।

ସେ ହୋଇପାରେ କ୍ଷଣସ୍ଥାୟୀ, କିନ୍ତୁ କାଳଜୟୀ, 

ଅବିଶ୍ରାନ୍ତ ଗତିଶୀଳା ।

ଚେତନ ସ୍ଫୁଲିଙ୍ଗ, ଅଷ୍ଟରତ୍ନୁ ସର୍ବୋତ୍ତମ ରୀତିମୟୀ,ପ୍ରୀତିଦାୟୀ,ଶାଶ୍ବତ ସମ୍ପର୍କ ।

 

     


Rate this content
Log in