ହେଉ ଯାହା ହେବ
ହେଉ ଯାହା ହେବ
ଭାଷା ଉପେକ୍ଷିତ ଭୂଷାଧାରୀ ପାଇଁ
ବିଭୂଷିତ ଯେଣୁ ବିଦେଶ ପ୍ରୀତି
ଭାଷାକୋଷ ମଣେ ଅଲୋଡ଼ା ନିଜକୁ
ଅକର୍ମଣ୍ଯ ଥାକେ ମଳି ପରସ୍ତି ।
ଭୂୟସୀ ପ୍ରଶଂସାରେ ବୁଡ଼େ ଅକର୍ମା
ବୁଝେନା ସ୍ବଦେଶୀ ମରମ କଥା
ଉବୁଟୁବୁ ନୌକା ଦିଶାହରା ସ୍ରୋତେ
ନିଶ୍ଚିହ୍ନତା ପ୍ରାୟ ତା' ପୁରା ଗାଥା ।
ମାଟି ମା' ସଂସ୍କୃତି ମମତା କ୍ଷମତା
ଅନ୍ଧେ ଡୁବିଯାଏ ଝୁରେ ଅତୀତ
ବାଣୀ,ଠାଣି,ରୂପ,ବେଶ,ଭୂଷା ସାଥେ
ଆବୋରେ ପସରା ମେଲି ବିକୃତ ।
କି ଥିଲା କି ହେଲା କଳା ସଂସ୍କୃତିର
ଦେଶେ ଭରେ କଳା ଅପସଂସ୍କୃତି
ଜଳହୀନ ଶୌଚେ ସଭ୍ଯତା ପ୍ରସରେ
ଅଶୌଚ,ଅଲୋଡ଼ା ଭୋଜନ ପଂକ୍ତି ।
ବାସ,ଗ୍ରାସ,ତ୍ରାସ ସ୍ନେହ,ଶ୍ରଦ୍ଧା ଶେଷ
ତୁଠ ପଥର ପାଲଟେ ଅକର୍ମ ଶିଳା
ଡାଡି,ମମି ତାଗିଦେ ଝାପ୍ସା ଦରୋଟି ଓଠେ
ଭୟେ ଲିଭିଯାଏ ହସର ହୁଳା ।
ସଯତ୍ନେ ବର୍ଦ୍ଧିତ ଶ୍ମଶ୍ରୁ କୋହେ ଭରେ
ଭଣ୍ଡାମୀର ଲୀଳା ଅନ୍ଧାରୀ ବିଜେ
ଘର,ଗାଁ ଶୂନ୍ଯ ପଶ୍ଚିମି ପ୍ରଭାବେ
ନବ ଆଗନ୍ତୁକ (ଗାଁରେ) ମୂରବୀ ସାଜେ ।
ଚୂଲି ଗଣା ରୀତି ଲୁଟିବାକୁ ଧନ
ଦେଶର ବିକାଶ ଚୁଲିକି ଯାଉ
ପିଢ଼ିକୁ ପିଢ଼ି ଲୋଭୀଜନେ ଭଣ୍ଡାଇ
ସୁଜ୍ଞଜନ ଦଶା ପ୍ରସରୁ ଥାଉ ।
ତେଲିଆ ମୁଣ୍ଡରେ ତେଲ ଜକଜକ
ସାଧାରଣ ହୋଇଯାଏ ଜଳକା
ତା' ଗୋସି ବାପର ମାଟିରେ ଜନମି
ଭୁଲିଯାଏ ପିତୃପୁରୁଷ ଟେକା (ଦୟା) ।
କେବେ ଭାସିବ ଦେଶ ଘିଅ,ମହୁରେ
'ସମାନତା' ଡାକେ ହସ୍ତ ପ୍ରସାରି
ମଣିଷ ଜୀବନେ ହେଉ ଶ୍ରେୟ,ଧ୍ଯେୟ
'ସ୍ବାଭିମାନ' ପଳା ରେ ହେଉ ଭାରୀ ।