ଅମୃତ ଧାରା
ଅମୃତ ଧାରା
ବୈକୁଣ୍ଠ ସମାନ ସେହି ଘର ଲଭେ ସଦା
ସତ୍ଯ, ଶାନ୍ତି, ଦୟା, କ୍ଷମା ପୂରିତ ବସୁଧା ।
ସମ୍ବେଦନା, ସମ୍ବର୍ଦ୍ଧନା ସବୁ ସେଠି ଠୁଳ
ସ୍ୱତଃସ୍ଫୂର୍ତ୍ତେ ବ୍ଯାପୃତ ଯା' ଆଗ୍ରହ ହିଁ ମୂଳ।
ଏକ ଗର୍ଭାଶ୍ରିତୁ ଜାତ ସ୍ବଭାବ ଫରକ
ବ୍ଯକ୍ତିଗତ ବିଭିନ୍ନତା ଗୁନ୍ଥା ସ୍ବାଭାବିକ ।
ଇଚ୍ଛା, ଆଗ୍ରହ ଉଦ୍ରେକେ ସମଭାବ ସ୍ଥିତି
ବିବେକ ମନ୍ଥିଲେ ମିଳେ ନିର୍ଯ୍ୟାସ ସମ୍ପତ୍ତି ।
ପାଖ ଦୂର ମାପକାଠି ପ୍ରୟୋଗେ ପ୍ରସରେ
ରକତ ପାଶୋରେ ସ୍ବାର୍ଥୀ ଆତ୍ମ ବଡ଼ିମାରେ
ସମବେଦନାରେ ମଣେ ପଡ଼ୋଶୀ ଆପଣା
ବିହରେ କଥା ଦି ପଦେ ମରମ ବେଦନା ।
ଟଙ୍କା, ସୁନା, ଧନଦଉଲତ, ଜମି, ଘର
ଗାଡ଼ି ଘୋଡ଼ା ଅଟ୍ଟାଳିକା ଯା'ଯେତେ ନିଜର
ତୁଳାଦଣ୍ଡେ ଏକପାର୍ଶ୍ବେ ରଖିଲେ ଯତନେ
ଅପର ପାର୍ଶ୍ବେ ବିବେକ ବିଚାର ସ୍ଥାପନେ ।
ମାପିଦେବା ଜୀବନଯାତ୍ରାର ଫଳାଫଳ
ଅବଶେଷ ରହିବ ଯା' ଭାରୀ ସେ ନିର୍ମାଲ୍ଯ
ଏହି ଟିକକ ବୁଝେନା ମର୍ତ୍ତ୍ୟ ମୁଢ଼ ନର
ଅର୍ଥ, ପଦପଦବୀର ସେ କିଣା ଚାକର ।
ହିତୈଷୀ ହେତୁର ହିତ ହଜାଏ ପଥରେ
ଶେଷାର୍ଦ୍ଧେ ଦରାଣ୍ଡି ଖୋଜିଲେ କି ମିଳିପାରେ--?
ନେଡ଼ି ଗୁଡ଼ କହୁଣୀକୁ ଖରେ ବହିଯାଏ
ଅନ୍ତଃସାର ଶୂନ୍ଯ ପ୍ରାଣେ ଭ୍ରମେ ଖୋଜୁଥାଏ ।
ହଜାଇଛି ଯା' ମିଳେନା ସେ ଅଣଲେଉଟା
ଉଜାଡ଼ିଛି ମତ୍ତ ଗର୍ବେ ହୋଇଣ କାମୁକା ।
ସମୂଳସୁଧ ଭରଣେ ବିତେ ଜରା କାଳ
ଶାସ୍ତ୍ରେ ଖୋଜେ ପାପ ପୁଣ୍ଯ ଜ୍ଞାନର ସୁଫଳ ।
କର୍ମକ୍ଷେତ୍ରେ ପ୍ରୟୋଗ ପାଇଁ ଶାସ୍ତ୍ର ରଚନା
ବିନା କର୍ମେ ପୋଥିପାଠେ ତୁଟେନା ଯାତନା ।
ପୋଷା ଶୁଆ ରଟେ ଯେହ୍ନେ ମାଲିକ ଆସିବ
ପଞ୍ଜୁରୀ ଦ୍ବାର ଖୋଲିଲେ ଉଡ଼ି ପଳାଇବ ।
ତେହ୍ନେ ବିଷୟ ଜଞ୍ଜାଳେ ଘାଣ୍ଟ ଚକଟାରେ
ବୁଡ଼େ ମତିଭୋଳେ ନର ସୁକର୍ମ ପାଶୋରେ
ସୃଷ୍ଟି ମାଲିକ ଦେଇଛି ପୂର୍ଣ୍ଣଗର୍ଭା ମତି
ମତି ବୁଝି କର୍ମ କଲେ ମିଳେ ଶାନ୍ତି, ମୁକ୍ତି ।
ଦେବତା ପାଲଟେ ନର, ଘର ବଇକୁଣ୍ଠ
ଦିନ ଯାଏ କଥା ରହେ ଅନ୍ଯଥା 'ଶ୍ରୀ' ନଷ୍ଟ।