ପ୍ରତୀକ୍ଷା
ପ୍ରତୀକ୍ଷା
ସ୍ରୋତସ୍ୱିନୀ
ତୋ'ଜାଣିବାରେ
ମୁଁ କେଉଁ ସମୁଦ୍ର ହେଇପାରେ
ବିଶାଳ ଓ ଗଭୀର
କିନ୍ତୁ ଅସହାୟ,
ନାଁ ସହିପାରେ,ନାଁ ବହିପାରେ
ଅପେକ୍ଷା ମଧୁର ସ୍ପର୍ଶକୁ
ପ୍ରଲୁବ୍ଧ ପ୍ରତୀକ୍ଷା
ଅତି ନିମଗ୍ନରେ !
ହଁ ନିମ୍ନଗା
ମୋ ଦେହରେ
ଅସରନ୍ତି ଝଡ଼,କ୍ଷତାକ୍ତ
ବୁକୁରେ ମୋ ଉଦ୍ଦ୍ଭ୍ରାନ୍ତ ଲହର
କିନ୍ତୁ ନିରୁପାୟ,
ନାଁ କହିପାରେ,ନାଁ ରହିପାରେ,
ନିଜ ଲୁହ ନିଜେ ପିଇ ପିଇ
ଲବଣାକ୍ତ ମୋ ଶରୀର,
ତଥାପି ଅପେକ୍ଷା
ଏ ବେଳା ତଟେ !
ନିର୍ଝରିଣୀ
ତୋ ଦେହରେ
ଅନେକ ଶୀତଳତା,
ଚଞ୍ଚଳ ଓ ଉନ୍ମୁକ୍ତ ଆବେଗ
ମରୁ ଦେହେ ପରା ଆଣିପାରୁ
ଅନେକ ସବୁଜ ପଲ୍ଲଵ,
କିନ୍ତୁ,ମୁଁ ନିଃସହାୟ,
ନୀଳ ସିନା,ନୁହେଁ ମୁଁ ସ୍ୱପ୍ନିଳ
ପ୍ରମତ୍ତ ପ୍ରବାଳ,ଶୈବାଳ
ଉତ୍ତାଳ ଓ ଫେନିଳ
ତୋ ସନ୍ନିଧାନେ ।