ପ୍ରତୀକ୍ଷା
ପ୍ରତୀକ୍ଷା


ସବୁଥର ଭଳି ଅପେକ୍ଷିତ, ଅହଲ୍ୟା
ଥରେ ଆସି କହିଦିଅ କ୍ଷମା ଦେଲି,
ସାଉଁଟି ନିଅ , ଅସରନ୍ତି ଅଭିଯୋଗ ର ଯାତନା ରୁ ମୁକ୍ତି ଦିଅ।
ଥରୁଟିଏ କହିଦିଅ ଭଲପାଏ ବୋଲି,
ଫଗୁଣର ବାସ ଚହଟିବ ମନରୁ ମନକୁ,
ବଉଳ ଫୁଲର ମହକ ବାସିବ ସମୀରେ ,
ଭାଷା ହୀନ, ନିଶବ୍ଦ ହୃଦୟର
ଅଜ୍ଞାତ ଆକର୍ଷଣେ ସମର୍ପିତ ହେବ ସମସ୍ତ ଜୀବନ ।
ପାଦ ଧ୍ୱନି ଶୁଣି ବାକୁ କେତେ ଯୁଗର ଅପେକ୍ଷା
ଖୋଲା ରହେ ଚକ୍ଷୁ ଦେଖିବାକୁ ଥରୁଟିଏ
ସେ ସୁଶୋଭିତ ସ୍ୱରୂପ।
ନିସ୍ତାରିବି ମୁଁ,
ଶେଷ ହେବ ଏ ସମସ୍ତ ଦୁଖ ଅନୁଶୋଚନା
ଶେଷ ହେବ ସମସ୍ତ ନିନ୍ଦା ଅପବାଦ
ଥରୁଟିଏ କହିଦିଅ ଆସୁଅଛି ବୋଲି,
ଶେଷ ହେବ ସମସ୍ତ ଯୁଗର ପ୍ରତିକ୍ଷା ।
ଅଭିଶାପର ଅନ୍ଧକାର ଦୂରେଇବ,
ପୁନର୍ବାର ମୋ ମୁକ୍ତିର ପଥ ହେବ କୁସୁମିତ
ପ୍ରତିଥାର ଥାଅ ତୁମେ, ମୋ ସହ ଅଦୃଶ୍ଯ ଆକାରେ।