ପ୍ରତିବିମ୍ବର ଆକାଶ
ପ୍ରତିବିମ୍ବର ଆକାଶ
ହେ ନୀଳ ଅମ୍ବର
ମୁଁ ତୁମ ପ୍ରେୟସୀ
କେଜାଣି କେଉଁ ଗୋଟେ
ଅଜଣା ମୁହୂର୍ତ୍ତରେ
ମୁଁ ତୁମକୁ ଭଲ ପାଇଛି
ଆଉ ପାଉଥିବି ମଧ୍ୟ
ମୋ ପ୍ରେମ ଚିର ଶାଶ୍ୱତ
ସମ୍ପୂର୍ଣ ଦୈହିକ ରହିତ
ଦିବ୍ୟ ଆତ୍ମିକ ସ୍ଵରୂପ
ସ୍ଵୀକାର ପାଇଁ ନିବେଦନ
ପ୍ରତିଦିନ ମୁଁ ତୁମ ଛତ୍ରଛାୟାରେ
ବିଭୋର ହୋଇ ବଞ୍ଚିବା ଶିଖିଛି
ତୁମର ସେହି ମତୁଆଲା ରଙ୍ଗର ସ୍ପର୍ଶରେ
ମୋ ଆଖି ଦୁଇଟି ମୁଦ୍ରିତ ହୋଇଯାଏ
କାହିଁକି ନା ମୁଁ ତୁମକୁ ଭଲପାଏ
ତୁମ ଭାସମାନ ଅପୂର୍ବ ବାହୁର
ମାଦକତା ଭିତରେ ମୁଁ ହଜିଯାଏ
ଭୂଲି ଯାଏ ନିଜ ଠିକଣା ଆଉ ଅସ୍ତିତ୍ବ
ତୁମେ ଜାଣ କି ନ ଜାଣ
ସେଥିରେ ମୋ କାତରତା ନାହିଁ
କାହିଁକି ନା ମୋ ପ୍ରେମ ନିଃସ୍ବାର୍ଥ
କେତେ ଫୁଲଫୁଟା ରାତିର
ଆଉ କେତେ ଦରଦଭରା ସ୍ମୃତିର
ଆଉ କେତେ ପରାଜୟ ଓ ଗ୍ଲାନିରେ
ତୁମେ ପରା ମୋର ମୁକ ସାକ୍ଷୀ
ସେଥିପାଇଁ ତ ମୋ ହୃଦୟର
କେଉଁ ନିଭୃତ କୋଣରୁ
ଜାଗି ଉଠିଛି ତୁମ ପାଇଁ ପ୍ରେମ
ଆଉ ଏହା କାମନାଶୂନ୍ୟ
ଯେତେଦିନ ଏ କାୟାରେ
ଶ୍ଵାସ ପ୍ରବାହିତ
ସେତେଦିନ ଏହା ସ୍ଵତଃନିର୍ଝରିତ ।।