ପ୍ରଶଂସା ଦେବାକୁ କୃପଣ କିଆଁ
ପ୍ରଶଂସା ଦେବାକୁ କୃପଣ କିଆଁ
ମଣିଷ ଜନମ କର୍ତ୍ତବ୍ୟ କରମ
କେହି କ'ଣ କେବେ ଭୁଲେ ଜୀବନେ
କର୍ମ ହେଉ ସତ୍ ଅଥବା ଅସତ୍
ମନ ପ୍ରଭାବରେ ଲାଗେ ସାଧନେ ।
ପ୍ରୋତ୍ସାହନ ଯେବେ ଭଲ କାମ ତେବେ
ଆଗକୁ ଆଗକୁ ବଢ଼ି ଚାଲଇ
ନିରୁତ୍ସାହ ବାଣୀ ଶୁଣିଲେ ତଥାପି
ଯେ ଭଲ ପଛକୁ ଫେରି ନଥାଇ ।
ପ୍ରଶଂସା ପଦିଏ ବୋଲିଦିଏ ଯିଏ
ତାହାଠୁ ବି ଭଲ ନୁହଁଇ କେହି
ହେଉ ହୃଦୟରୁ ଅବା ତା' ତୁଣ୍ଡରୁ
ଆନର ମନଟା କିଣଇ ସେହି ।
ଭୁଲ ବାଟେ କେହି ଯେବେ ଯାଉଥାଇ
ଛଳ ପ୍ରଶଂସାରେ ତାକୁ ସୁଧାରି
ଉଚିତ୍ ପଥରେ ଯିଏ ଠିଆ କରେ
ହୁଏନି କି ମନ ଖୁସିରେ ଭାରି ?
ପଦଟେ ପ୍ରଶଂସା ପଦ୍ମଟେ ଫୁଟାଇ
ପାରିଥାଏ ଯେବେ କାହା ମୁଖରେ
ଏହାଠାରୁ ବଳି ଆଉ କି ହରଷ
କାହାକୁ କଅଣ କେ ଦେଇପାରେ !
ପ୍ରଶଂସାର ବାଣୀ ଶୁଣିଦେଲା କ୍ଷଣି
ସତେ କି ମିଳଇ ମହଣେ ସୁନା
ତେବେ ଏ ଧନକୁ କାହାକୁ ଦେବାକୁ
ମନକୁ କାହିଁକି କରିବା ଊଣା ?
ପ୍ରଶଂସା ପଦରେ କେ ଆଗେଇ ପାରେ
କେ ବି ବଦଳାଇ ପାରଇ ହିଆ
ତେବେ ଆମେସବୁ ଅନ୍ତର ଗହ୍ବରୁ
ପ୍ରଶଂସା ଦେବାକୁ କୃପଣ କିଆଁ ?
