ନୌକା
ନୌକା
ଅଥଳ ସାଗରେ ଅସଂଖ୍ୟ ନଉକା
ଛାଡି ଦେଲ ପ୍ରଭୁ ହେ ନାରାୟଣ
ମୋହରି ଭାଗରେ ଦଦରା ନାବଟି
ତଥାପି ତାକୁ ମୁଁ କଲି ଗ୍ରହଣ ।
ତୁମ ଦାନ ବୋଲି ଆକଣ୍ଠ ଖୁସିକୁ
ଗ୍ରାସି ଗ୍ରାସି କଲି ନୌ ଚାଳନ
ଥଳ ପାଉ ନାହିଁ କୂଳ ପାଉ ନାହିଁ
ଉପାୟ ଶୂନ୍ୟ ମୁଁ ପରମ ବ୍ରହ୍ମ ।
ବୁଡି ଯିବି କାଳେ ଘୋର ଗଣ୍ଡ ଜଳେ
ବାଟ ଦେଖା ସଖା ନାବକୁ ମୋର
ବିନ୍ଦୁଟିଏ ମାତ୍ର ହୋଇବ ଯଥେଷ୍ଟ
ଆଶିଷର ରଜୁ ଟାଣ ଠାକୁର ।
ବୁଡି ଯିବି ଯେବେ ଦୟା ସାଗରରେ
ଲୀନ ହୋଇଯିବି ସାଗର ବକ୍ଷେ
କଥା ଦିଅ ହରି ଶେଷ ଅଭିଳାଷ
ପୂରଣ କରିବ ଆନନ୍ଦ ଚିତ୍ତେ ।
ପୁନର୍ଜନ୍ମ ଯଦି ଦବ ଦୟାମୟ
ମୋହରି ନାବର ହେବ ନାଉରୀ
ଧନ୍ୟ ହେବି ପ୍ରଭୁ ଜଗତର ନାଥ
ଦଦରା ନାବ ରେ ହେବି ମୁଁ ପାରି ।
ଦୟାମୟ ପ୍ରଭୂ ଦୟା ସାଗରରୁ
ବିନ୍ଦୁଟିଏ ଦୟା ମାେ ପାଇଁ ଦବ
ନାବ ମୟ ଏଇ ସଂସାର ସାଗରେ
ଦଦରା ନାବର ନାଉରୀ ହେବ ।