ପ୍ରଶ୍ନ ........
ପ୍ରଶ୍ନ ........
ବେଳେ ବେଳେ ଏହି ଜୀବନ ପ୍ରଶ୍ନ କରେ ମୋତେ ,
ଦ୍ଵନ୍ଦରେ ପଡ଼ିଯାଏ, ଭାବେ କଣ ଉତ୍ତର ଦେବି ସତେ ?
ଆଜି ନୁହେଁ ବହୁ ବାର ସିଏ କରିଛି ପ୍ରଶ୍ନ ,
କିନ୍ତୁ ଏଡାଇ ଦେଇଛି ସବୁ ଏହି ଅମାନିଆ ମନ |
ପିଲାଦିନେ ପଚାରୁଥିଲା ସିଏ ଚଞ୍ଚଳ ହେଉଚୁ କାହିଁକି ?
ମନଟା ଖାଲି ଆଖିଠାର ମାରୁଥିଲା ସେହି ସମୟକୁ ଚାହିଁକି |
ଯୌବନର ଉନ୍ମାଦନାରେ ଯେବେ ନିଜ ଆଚାର ସୀମା ଲଂଘୁଥିଲି,
ସଜାଗ କରୁଥିଲା ସିଏ ପ୍ରଶ୍ନରେ କାଳେ ନିଜକୁ ସଜାଡି ବୋଲି |
କିନ୍ତୁ ଏହି ମନ ଥିଲା ପାଗଳ ସେହି ଉନ୍ମାଦନାରେ ,
ଭାସୁଥିଲା ଏହି ମାୟା ସଂସାରର ସବୁ ଯାଦୁକରୀ ମୋହରେ |
ଛନ୍ଦିହୋଇ ସେହି ମୋହରେ ବାନ୍ଧିହେଲା ସିଏ ପ୍ରେମର ଫାସର ,
କିଛିଦିନ ପରେ ସେହି ଫାସର ଗଣ୍ଠି ପଡିଗଲା ଅଜାଣତରେ |
ସେହି ଗଣ୍ଠି ତାକୁ ବାନ୍ଧିଲା ପୁଣି ବିବାହ ବନ୍ଧନରେ ,
ଗଢିଲା ସଂସାର ପଡି ସିଏ ସେହି ମାୟାର ଜାଲରେ |
ପୁତ୍ର କନ୍ୟା ସବୁ ପାଇ ନାଚିଲା ସିଏ ଆନନ୍ଦରେ ,
କର୍ତ୍ତବ୍ୟ କରି ବଡ଼ କଲା ସଭିଙ୍କୁ ପୁଣି ବଡ଼ ଆଦରରେ |
ସଭିଏଁ ବଡ଼ ହୋଇଗଲେ ଫିଟିଲା ତାଙ୍କର ସବୁ ଡେଣା,
ଉଡିଗଲେ ନିଜ ଲକ୍ଷ ପଥରେ ଧରି ସ୍ୱାର୍ଥର ବାନା |
ଏବେ ଏହି ବୃଦ୍ଧ ଅବସ୍ଥାରେ ହୋଇଛି ସିଏ ଏକା ,
ଏବେବି ଜୀବନ ତାକୁ ପ୍ରଶ୍ନ କରୁଛି ଛାଡ଼ିନି ମଉକା |
ପ୍ରଶ୍ନ କରୁଛି ଏବେ କାହିଁକି କଥା ମୋର ନଶୁଣିଲୁ ?
ସବୁବେଳେ ଖାଲି ଅଜଣା ହୋଇ ,ମୋତେ ଆଡେଇ ଦେଲୁ |
ପ୍ରଶ୍ନ ଏବେ କରୁଛି ସିଏ ସେହି ଯୌବନର ପାଇଁ ,
ନିଜକୁ ସମ୍ଭାଳି ନସଜାଡ଼ିଲୁ ଆଚାରକୁ ସେବେ କାହିଁ ପାଇଁ ?
ପୁଣି ପ୍ରଶ୍ନ କରେ ମୋହରେ ଗଢ଼ିଲୁ ମାୟା ସଂସାର ,
କିନ୍ତୁ କାହିଁକି ଭୁଲିଲୁ ନିଜ ଧର୍ମ ଆଉ ସଂସ୍କାର ?
ବାର ବାର ପ୍ରଶ୍ନ କରେ କର୍ତ୍ତବ୍ୟ କରିଲୁ ସତ ,
କିନ୍ତୁ କାହିଁକି ଯୋଡୁଛୁ ଆଶାକୁ ପୁଣି ତାହା ସହିତ ?
ପ୍ରଶ୍ନ ତାର ଭୁଲି ଜ୍ଞାନ ସତ୍ୟର ସବୁ ଆଧାର ,
କାହିଁକି ଡୁବିଲୁ ଏହି ପଙ୍କରେ ତୁହି ମାୟା ସଂସାରର ?
ସିଏ କହୁଛି କିଛି କାଳ ଏବେବି ଅଛି ବାକି ,
ମୋହ ମାୟା ତ୍ୟାଗୀ ସମର୍ପିତ ହୁଅ ଈଶ୍ୱରଙ୍କୁ ଡାକି |
