ପ୍ରଣୟିନୀର ଶଶିବଦନ
ପ୍ରଣୟିନୀର ଶଶିବଦନ
ଆକାଶ ନାହିଁ ମୋ ମଥା ଉପରେ
କି ମାଟି ନାହିଁ ପାଦତଳେ,
ଏ ମନ କେବଳ କୁହୁକ ପ୍ରେମର
ଛବିଳ ରଙ୍ଗ ବୋଳେ ।
ମାଠିଆ ଧରି ଲଳନା ଲାବଣ୍ୟା ଯାଆନ୍ତି ନଈକୂଳେ,
ବିକଳ ବ୍ୟାକୁଳ ଅନଙ୍ଗ ଅନୁରାଗ ଅନଳରେ ଜଳେ,
ବ୍ୟାମୋହ ବିରହରେ ସମୟ ଖସେ ସଞ୍ଜ ସକାଳେ,
କଳକଳ ନଈକୂଳକୁ ଯିବି ଭେଟ ହୋଇଯିବ କାଳେ ।
ଉଭୟ କୂଳରେ ଲାଗିଛି ପ୍ରେମିକଙ୍କର ଚହଳ ପହଳ,
ଆପଣା ପ୍ରଣୟ ଜଣାଇବାକୁ ହୃଦୟ ହେଲାଣି ଚଞ୍ଚଳ,
କୋମଳ କାନ୍ତାର ସହାୟକ ରକ୍ଷକ ହେବାକୁ ଆକୁଳ,
ପ୍ରେମିକା ହେଲେ ମୋ ଜୀବନ ଯୌବନ ହେବ ଛବିଳ ।
ଅବିରତ ଚାଲିଛି ଚାରୁ ଚନ୍ଦ୍ରକାନ୍ତାର
କାନ୍ତାଦାସ ହେବାର ଆୟାସ,
ଚାଲିଛି ସୌଦାମିନୀ କାମିନୀଙ୍କୁ
ହୃଦ୍ ବୋଧ ଜଣାଇବାର ପ୍ରୟାସ,
ସଂସାରେ ଅନାୟାସସାଧ୍ୟ ନୁହେଁ
ସୁବର୍ଣ୍ଣ ସପନ ସୁନ୍ଦରୀର ବିଶ୍ୱାସ,
ଅସୀମ ଅନୁରକ୍ତିର ଅଙ୍ଗୀକାର ମିଳିଲେ
ମାନସକୁ ମିଳିବ ଆଶ୍ୱାସ ।
ରୂପସୀ ପ୍ରେୟସୀର ଅଭୁଲା କଥା ଭାବୁଛି ସବୁବେଳେ,
ଚଞ୍ଚଳ ଚିତ୍ତରେ ଅପାର ପ୍ରଣୟକୁ ଅନବରତ ଘୋଳେ,
ବିପୁଳ ଉପହାର ଦେବାର ଅଭିଳାଷା ହୁଏ ସବୁବେଳେ,
ପ୍ରଣୟିନୀର ଶଶିବଦନ ଦେଖିଲେ ପ୍ରାଞ୍ଜଳ ପ୍ରଶାନ୍ତି ମିଳେ ।
ଆକାଶ ନାହିଁ ମୋ ମଥା ଉପରେ
କି ମାଟି ନାହିଁ ପାଦତଳେ,
ମୋ ମନ କେବଳ କୁହୁକ ପ୍ରେମର
ଚିତ୍ରପୂର୍ଣ୍ଣ ବହୁବର୍ଣ୍ଣ ବୋଳେ ।