ପ୍ରଳୟର ବିଭୀଷିକା
ପ୍ରଳୟର ବିଭୀଷିକା
ସାଗର ଗର୍ଭେ ଉଦଣ୍ଡ କରେ
ପ୍ରଳୟର କେନ୍ଦ୍ରବିନ୍ଦୁ,
ଉତ୍ତାଳ ଢ଼େଉ ମାଡ଼ି ଆସୁଛି
ଭୟଙ୍କର ଦିଶେ ସିନ୍ଧୁ ।
ଲବଣ ଜଳେ ଲୀନ ହୋଇଛି
ମିଳୁ ନାହିଁ ଜମା ସ୍ଥଳ,
ବାଲୁକା ଚରି ମରୁଭୂମିରେ
ପରିଣତ ଉପକୂଳ ।
ପ୍ରକୃତି କୋଳେ ତାଣ୍ଡବ ରଚେ
ପ୍ରାଣୀ ଅଛି ମରୁ-ମରୁ,
ଭୟ ଆତଙ୍କେ ଜୀବଜଗତ
ପ୍ରାଣ ଚାଲେ ଡ଼ରୁ-ଡ଼ରୁ ।
କ୍ଷିପ୍ର ଗତିରେ ବହେ ବତାସ
ଖଣ୍ଡ ବିଖଣ୍ଡିତ ତରୁ,
ବନ ଜଙ୍ଗଲ ଧ୍ୱଂସ ବିଧ୍ଵଂସ
ଦୋହଲି ଯାଉଛି ମେରୁ ।
ଭାଙ୍ଗି ଦେଉଛି ଘର ଦୁଆର
ଦେଖୁନି ଆପଣା ପର,
ଗଗନେ ଉଡ଼େ ନଡ଼ା ଛପର
ଶ୍ରୀହୀନ ହୁଏ ନଅର ।
ମାରୁଛି କେତେ ମାରିବ କେତେ
ମରିବାର ନାହିଁ ଶଂକା,
ବଡ଼ କଠୋର ଅତି ନିଷ୍ଠୁର
ପ୍ରଳୟର ବିଭୀଷିକା ।
ହେ କୃପାସିନ୍ଧୁ କରୁଣା କର
ଏ ବିପଦରୁ ଉଦ୍ଧାର,
ଶକ୍ତି ଦିୟ ମା ଭୁଜରେ ଆମ
ପାରିବୁ ସହି ପ୍ରହାର ।
