"ପ୍ରକୃତି ବିନ୍ୟାସ
"ପ୍ରକୃତି ବିନ୍ୟାସ
ପାହାଡ଼ ଝରଣା ସରିତ ସାଗର
ସବୁଜ ବନାନୀ ନୀଳାମ୍ବୁ ଅମ୍ବର l
ନୀଳ ଜଳରାଶି ତମାଳ ତରୁ
ଉତୁଙ୍ଗ ଶୃଙ୍ଗ ଆଉ ବାଲୁକା ମରୁ l
ଦୂର ତାଳ ବଣ ଫସଲ କ୍ଷେତ
ଚାଷୀ ଭାଇ ଗାଏ ଖୁସିରେ ଗୀତ l
ପ୍ରାଚୀ ଭାଗେ ରବି ଢାଳନ୍ତି କର
କର୍ମ ମୁଖର ହୁଏ ପଲ୍ଲୀ ପୁର l
ଗାଁ' ଶେଷ ମୁଣ୍ଡେ ଉଠଇ ଖରା
ସଜଳେ ତାପିତ ହୁଅଇ ଧରା l
ଚାହୁଁ ଚାହୁଁ ଆସେ ଗୋଧୂଳି କାଳ
ରକ୍ତାକ୍ତ ଦିଶଇ ଗହୀର ମାଳ l
ବିଭାବରୀ ଆସେ କଜ୍ଵଳ ମୁଖେ
ଅଣ୍ଡଜ ଫେରନ୍ତି ନୀଡ଼କୁ ସୁଖେ l
ପାଦପ ଡାଳରେ ବିହଙ୍ଗେ ବସି
ଆକାଶେ ଦେଖନ୍ତି ବିମଳ ଶଶୀ l
ବୃକ୍ଷ ତରୁ ଲତା ଯାଆନ୍ତି ଶୋଇ
ନିଶା ଗରଜନେ ମଉନ ହୋଇ l
ନିର୍ଜନ ନିଶୀଥେ ଖଦ୍ୟୋତ ଗଣ
ବସନ୍ତି ପାଦପ ପତ୍ରେ ଲୁଚିଣ l
ଶ୍ଵାନ ଶୃଗାଳଙ୍କ ବିକଟ ରଡି
ଦୂର ତାଳ ବଣୁ ଆସଇ ମାଡି l
ନିଦ୍ରାରେ ତଲ୍ଲୀନ ଜଗତବାସୀ
ନକ୍ତେ ଅଶରୀରୀ ଭ୍ରମନ୍ତି ଆସି l
ଶେଷ ପ୍ରହରର ମଉଳା ଜହ୍ନ
ଉଷା ଅବକାଶେ ଫେରେ ସଘନ l
ଧରାରୁ ଯାମିନୀ ହୁଅଇ ଅନ୍ତ
ତକ୍ଷଣେ ଆସଇ ବ୍ରାହ୍ମ ମୁହୂର୍ତ୍ତ l
କି ସୁନ୍ଦର ଏଇ ପ୍ରକୃତି ବିନ୍ୟାସ !
ଅନିନ୍ଦ୍ୟ ସୁଷମା ନାହିଁ ତା' ଶେଷ l