ପରକାଳ
ପରକାଳ
ବର୍ତ୍ତମାନ ଅଛି ଅତୀତ ତ ଥିଲା
ଭବିଷ୍ୟତ ବି ରହିବ ।
ଇହକାଳ ଏବେ ଭୋଗ ହେଉଅଛି
ପରକାଳ ତ ଆସିବ ।୧।
କାଳ ପ୍ରଭାବରୁ ମୁକ୍ତ ନୁହେଁ କେହି
କାଳ ହୁଏ ସର୍ବଗ୍ରାସୀ ।
ଦେଖ ବା ନଦେଖ ଯଥା ସମୟରେ
ପ୍ରବେଶ କରଇ ଆସି ।୨।
ଇହକାଳ ଯଦି ଆମେ ସୁଧାରିବା
ସୁଧୁରିବ ପରକାଳ ।
ଏହି ସମୟରେ ଇହକାଳେ ଅଛେ
କର୍ତ୍ତବ୍ଯ କର କେବଳ ।୩।
ନିରତ କରମ କରିବା ଆମର
ସ୍ବଧର୍ମରେ ଆମ ରହି ।
ଇହକାଳ ନିଶ୍ଚେ ମଧୁମୟ ହେବ
ପରକାଳ ଚିନ୍ତା ନାହିଁ ।୪।
ଯେଉଁ ବର୍ଣ୍ଣ ଅବା ଆଶ୍ରମରେ ଅଛେ
ନିଜ ଧର୍ମ କର୍ମ କରି ।
ଗୁରୁ ଗୁରୁଜନ ସଭିଙ୍କୁ ସମ୍ମାନ
ଦେଇ ଯିବା ଅପସରି ।୫।
କର୍ମ ଫଳାସକ୍ତି ନରଖି ମନରେ
ସମର୍ପିବା ପ୍ରଭୁୁପଦେ ।
ସମଦର୍ଶୀ ହୋଇ ବିବେକ ଜଗାଇ
ବୈରାଗ୍ୟ ଲଭିବା ହୃଦେ ।୬।
ବୈରାଗ୍ୟରୁ ଜ୍ଞାନ ଭକତି ଲଭିଲେ
ପ୍ରାପ୍ତ ହେବ ପରା ଶାନ୍ତି ।
ପରକାଳ ଆମ ତେଜୋମୟ ହେବ
ଲଭିବା ଗତି ମୁକତି ।୭।
ଭକତର ମୁକ୍ତି ଇଛା ତ ନଥାଏ
ଚାହେଁ ସଦା ପ୍ରଭୁଙ୍କର ।
ପାଶେ ପାଶେ ନିତ୍ଯ ସହଚର ହୋଇ
କରିବ ସେବା ତାଙ୍କର ।୮।
ଗୁରୁ ବିଭୁ କୃପା ହେଲେ ତା ସମ୍ଭବ
ନିଜେ କଲେ ପୁରୁଷାର୍ଥ ।
ଇହକାଳ ଆମ ସୁଦିବ୍ୟ ହୋଇବ
ପରକାଳ ପରମାର୍ଥ ।୯।
