ପ୍ରଜାପତି
ପ୍ରଜାପତି
ପ୍ରଜାପତି ମୁଁ ପ୍ରଜାପତି
ଫୁଲରୁ ମହୁକୁ ଶୋଷେ ନିତି
ଏ ଫୁଲେ ସେ ଫୁଲେ ଡେଣା ଝାଡି ଉଡେ
ଜଣା ପଡେ ନାହିଁ ଦିନ ରାତି ।
ପ୍ରଜାପତି ମୁଁ ପ୍ରଜାପତି ।
ଫୁଲ ପାଖୁଡାରେ ବସି ଥାଏ
ଟିକି ଶୁଣ୍ଢେ ତାକୁ ଚୁମୁ ଥାଏ
ପବନ ସାଥିରେ ସିଏ ନାଚୁଥିଲେ
ଏଇ ମନ ମୋର ଝୁମି ଯାଏ ।
ଡେଣା ଝାଡି ଝାଡି ଉଡୁ ଥାଏ ।
ଟୋପି ଟୋପି ଚିତା ଦେହେ ଥାଏ
ରଙ୍ଗ ବେରଙ୍ଗରେ ମନ ମୋହେ
ମୋତେ ଧରିବାକୁ ପିଲା ଗୋଡାଅନ୍ତି
ନା କାହାକୁ ମୁଁ ଧରା ଦିଏ ।
ନାଚି ନାଚି ଆଗେ ଉଡୁ ଥାଏ ।
ମୋତେ ଦେଖି ପିଲା ହୋନ୍ତି ଖୁସି
ଫୁଲ ବଗିଚାରେ ଯାନ୍ତି ପଶି
ହାତ ସେ ବଢାନ୍ତି ନା ଧରି ପାରନ୍ତି
ମନ ମାରି ଦୁଃଖେ ଯାନ୍ତି ବସି ।
ଦେଖି ଦେଲେ ପୁଣି ଦ୍ୟନ୍ତି ହସି ।
ଛୋଟ ଶିଶୁ ଦେଖି ଚାହିଁ ରହେ
ହାତ ଠାରେ ଆଖି କଥା କୁହେ
ଧରିବାକୁ ହାତ ବଢାଇଲେ ସିଏ
ତା ପାଖରୁ ପୁଣି ଉଡି ଯାଏ ।
ଏକ ଲୟେ ଚାହିଁ ହସୁ ଥାଏ ।
ଘାସ ଚାଲିଚାରେ ବସୁ ଥାଏ
ମନେ ମନେ ମୁହିଁ ହସୁ ଥାଏ
ଏତେ ଛୋଟ ଟିକି ପ୍ରଜାପତି ହେଇ
ଏଇ ନର କେତେ ଭଲ ପାଏ ।
ତା ହାତରେ ଯାଇ ବସି ଯାଏ ।
ତରକା ଅତି ମୁଁ ହେଇଥାଏ
ତରତର ହେଇ ଉଡୁଥାଏ
>
ଛୋଟ ଠାରୁ ବଡ ସମସ୍ତେ ଅଧିର
ସମସ୍ତଙ୍କ ଓଠେ ହସ ଦିଏ ।
ଘାସ ଗାଲିଚାକୁ ଭଲ ପାଏ ।
ଟିକି ଟିକି ମୋର ଡେଣା ଥାଏ
ଟିକି ଡେଣା ଝାଡି ଉଡୁଥାଏ
ନୀଳ ଆକାଶର ନୀଳିମାର ତଳେ
ଫୁଲ ମହକରେ ହଜି ଯାଏ ।
ଗୁଣୁ ଗୁଣୁ ହେଇ ଗୀତ ଗାଏ ।
ସଅଁବାଳୁଆରୁ ସୃଷ୍ଟି ହୁଏ
ଏ ମଣିଷ ତାକୁ ମାରି ଦିଏ
ସିଏ ନ ରହିଲେ କେମିତି ମୁଁ ହେବି
ଭାବି ବେଶୀ ଦୁଃଖ ଲାଗୁ ଥାଏ ।
ଏଇ ନର ତାକୁ ଜାଳି ଦିଏ ।
ବିଚିତ୍ର ବିନ୍ଧାଣୀ କାରିଗର
ସୃଷ୍ଟି କରିଛନ୍ତି ମାୟାଧର
ତା ଦେହେ ଜହର ଭରି ଦେଇଥାନ୍ତି
ଗଢି ଥାନ୍ତି ମୋତେ କି ସୁନ୍ଦର ।
ହେଇଯାଏ ସବୁ ଆପଣାର ।
ଅଭିମାନ ମୋର ନାହିଁ କିଛି
ନା ଅଭିଯୋଗ ମୁଁ କରୁଅଛି
ସଅଁବାଳୁଆରୁ ମୋର ସୃଷ୍ଟି ହୁଏ
ଏଇ କଥା ମନେ ପକାଉଛି ।
ସବୁ କାନେ ଖାଲି ଶୁଣାଉଛି ।
ବିଭିନ୍ନ ପ୍ରକାର ସିଏ ଥାଏ
ସେହି ଅନୁସାରେ ରୂପ ପାଏ
ଚିତ୍ର ବିଚିତ୍ରରେ ରଙ୍ଗ ବେରଙ୍ଗରେ
ସଭିଙ୍କର ମନ ମୋହୁଥାଏ ।
ହେଲେ ମୋର ଜନ୍ମ ଦାତା ସିଏ ।
ମୋତେ ଦେଖି ଖୁସି ହୁଅ ନିତି
ଏଇ ଦେଖ କୁହ ପ୍ରଜାପତି
ସଅଁବାଳୁଆ ଯଦି ନ ରହିବ କୁହ
କେମିତି ହେବି ମୁଁ ପ୍ରଜାପତି ?
ପ୍ରଜାପତି ମୁଁ ପ୍ରଜାପତି ।