ପ୍ରିୟତମଙ୍କୁ ପଦେ
ପ୍ରିୟତମଙ୍କୁ ପଦେ
ପ୍ରିୟ ତୁମେ ଦୂରଦେଶେ,
ତୁମ ସ୍ମୃତି ମୋର ପାଶେ,
ଦିନ ବିତେ ଅବଶୋଷେ,
ହେଲେ ରାତି ବିତେନା ।
ଆକାଶୁଁ ଶୀତଳ ଜ୍ୟୋତ୍ସ୍ନା
ଝରାଇ ବଢ଼ାଏ ତୃଷ୍ଣା,
ଏ ଜହ୍ନ ବୁଝେନା ମନ,
ବିରହ ରହି ରହି ଦିଏ ଯାତନା ।
ବୈଶାଖୀ ଝାଞ୍ଜି ବହେ
ମୋ ଆଖିର ଲୁହ କହେ
ବିଳମ୍ବ ନକରି ଏବେ
ଫେରି ଆସନା !
ଫଗୁଣ ତ ଫେରିଗଲା
ଚାହିଁ ଚାହିଁ ଚଇତି ବିତିଲା ।
ସାନ୍ନିଧ୍ୟ ଟିକେ ତୁମର,
ପାଇବାକୁ ମନ ମୋର,
ମାଗୁଛି କି ସୁନାଚାନ୍ଦି
ସେପାଇଁ କି ମନେ ତୁମ
ଭୀତି ଜାଗିଲା?
ପ୍ରୀତି କାଙ୍ଗାଳୁଣୀ ତୁମ
ଚିହ୍ନିଲନି ପ୍ରିୟତମ!
ତୁମକୁ ଝୁରି ଝୁରି
ଆୟୁ ସରିଲା ।
ମିଳନ ଆଶା ମଉଳେ,
ଦୀପ ଜାଳି
ଚହୁଁରା ମୂଳେ,
ଫେରିବା ବାଟକୁ
ଚାହିଁ ବସି ଆକୁଳେ
ମିଳନ ଲଗନର ସ୍ମୃତି
ମନେ ମୁଁ ଭାଳେ।

