ପ୍ରିୟତମକୁ ଅନୁରୋଧ
ପ୍ରିୟତମକୁ ଅନୁରୋଧ
ଯେତିକି ସମୟ ବଂଚି ରହିବି ମୁଁ
ତୁମ ପ୍ରେମ ଜଳେ ବୁଡ଼ାଇବ,
ଜୀବନଟା ମେଘ ବିଜୁଳିର ଖେଳ
ପ୍ରେମ ବରଷାରେ ତିନ୍ତାଇବ ।
ତୁମେ କହିବାରୁ ଲେଖୁଛି କବିତା
ସିଝି ବିରହର ନିଆଁଧାସେ,
ଫୁଲର ଫଗୁଣେ ଶ୍ରାବଣ ଝୁରୁଛି
ପ୍ରିୟ ତୁମେ କିଆଁ ପରବାସେ ।
ଏ ଶୀତର ରାତି ମନ ଉଠେ ମାତି
ତୁମ ହୃଦ ଗଭୀରତା ମାପେ,
ତୁମର ବାହୁର ନିବିଡବନ୍ଧନ
ସପନରେ ଖୋଜେ ଆପେ ଆପେ ।
ତୁମେ କହିଦିଅ ଶୋଇଯାଅ ବୋଲି
ଶୋଇପାର ତୁମେ ବେଦରଦୀ
କଥା ଦେଇଥିଲି ଶୋଇଯିବି ହେଲେ
ପଲକ ପଡ଼ୁନି ଅଦ୍ୟାବଧି ।
ପଦ୍ମଫୁଲ ପରି ତୁମ ଦେହ ସଖା
କାମିନୀ କାମନା କୃଷ୍ଣଚୂଡ଼ା
ଶେଫାଳି ଫୁଲର ଭୁରୁଭୁରୁ ବାସ
ମନ ବୃନ୍ଦାବନେ କରେ କ୍ରୀଡା ।
ସୁନା ପଞ୍ଜୁରୀର କଥାକୁହା ପକ୍ଷୀ
ତୁମେ ପୀରତିର ଗୀତ ଗାଇ,
ମୋ ତନୁଲତାକୁ ଛୁଇଁ ଛୁଇଁ ଯାଅ
ଦୀପକ ରାଗରେ ଜାଳିଦେଇ ।
ପ୍ରିୟ ଆଗୋ ତୁମେ ମୋ ହୃଦମନ୍ଦିରେ
ପ୍ରୀତିର ପ୍ରଦୀପ ଦେଲଜାଳି ,
ଗହନ ବନରେ ମିଳନ ମଧୁର
ଛନ୍ଦଟିଏ ମୁଁ ପା ଅଛି ପାଳି ।
ତୁମ ପ୍ରେମ ଗଙ୍ଗା ଜଳେ ଅବଗାହି
ମଳୟର ଗନ୍ଧେ ମୁଁ ବିଭୋର ,
ତୁମ ପରଶରେ ପୂର୍ଣ୍ଣ ମାନସରେ
ସ୍ଵୀକାରେ ପ୍ରେମିକା ମୁଁ ତୁମର ।
ପ୍ରୀତି ପ୍ରଜାପତି ହୋଇଆସ ତୁମେ
ଋତୁ ଅଋତୁରେ ପ୍ରୀତିବାସେ,
ପ୍ରେମଭରା ମଧୁ ଇଙ୍ଗିତ ଦର୍ଶନେ
ସିକ୍ତା କରି ମୋତେ ମଧୁହାସେ ।
ଅମୃତ ରସର ଆକଣ୍ଠ ପାନେ ମୁଁ
ତୃପ୍ତ କଲି ପିପାସିତ ପ୍ରାଣ ,
ଭଲ ପାଇବାର ପଥରେ ଶିଉଳି
କାଢିଦେଲ ଭାଙ୍ଗି ମୋର ଟାଣ ।