ପ୍ରିୟତମା
ପ୍ରିୟତମା
ତୁମେ ପ୍ରିୟତମା
ମୋ ମନ ବନ ବନାନୀର
ସବୁଜ ସୁନ୍ଦର ସବୁଜିମା,
ତୁମ ତନୁ ଲତାରେ ପ୍ରକୃତି
ଭରିଛି ଅନୁପମ ସୁଷମା।
ତୁମେ ପ୍ରିୟତମା
ମୋ ହୃଦ ଆଇନାରେ
ଏକ ସ୍ଥିର ବାସ୍ତବ ପ୍ରତିମା,
ରୂପ ଗୁଣରେ ତୁମେ ଅନନ୍ୟା
କାହା ସାଥେ ତୁଳନା କରି
ଦେବି ମୁଁ କି ଉପମା...?
ତୁମେ ପ୍ରିୟତମା
ମୋ ଭାବ ସାଗରର କଳ୍ପନା
ନୀଳ ଲହରୀମାଳାର
ଅସରନ୍ତି ଅସୀମ ସୀମା,
ଛନ୍ଦ ତୋଳି ନାଚି ଯାଅ
ମୋ ଜୀବନର ବେଳାଭୂମିକୁ
କରି ପରିକ୍ରମା।
ତୁମେ ପ୍ରିୟତମା
ମୋ ଆଶାର ଆକାଶେ ଚନ୍ଦ୍ରମା,
ତୁମ ରୂପା ପରି ଚିକ୍ ଚିକ୍ ହସରେ
ପ୍ରେମର ସ୍ନିଗ୍ଧ କୋମଳ କିରଣରେ
ବିଭୋର ହୁଏ ମୋ ମନ ଆତ୍ମା,
ନିଆରା ତୁମ ମହିମା
ତୁମ ବିନା କିଛି ଲାଗେନା ଭଲ ଜମା।
ତୁମେ ପ୍ରିୟତମା
ପ୍ରତି ପ୍ରାଣର ସ୍ପନ୍ଦନେ ଦିଅ ପ୍ରେରଣା
ଭୁଲ୍ ଥିଲେ କରି କ୍ଷମା,
ତୁମେ ମୋ ବିଶ୍ଵାସ ଭରସା
ଜୀବନର ଲକ୍ଷ୍ୟ ଓ ଠିକଣା
ତୁମେ ମୋ ଯୋଜନାବଦ୍ଧ
ଜୀବନ କ୍ଷେତ୍ରର ଚତୁରପାର୍ଶ୍ଵ ପରିସୀମା।
ପ୍ରିୟତମା... ପ୍ରିୟତମା।

