ପ୍ରିୟତମା
ପ୍ରିୟତମା


ତମ ପାଇଁ ଯେବେ ଲେଖେ ମୁଁ କବିତା
ଆଖିରୁ ଝରାଇ ଲୁହ
ମନର ଭାବନା ଅନ୍ତର ବେଦନା
ହୃଦୟରୁ ଉଠେ କୋହ ll 1
ସାଗର ବେଳାର ଶାମୁକାର ସ୍ମୃତି
ମୁକ୍ତାହୀନ ଶୁଷ୍କ ବାଲି
ପାରିନି ଲିଭାଇ ଜୁଆରିଆ ଢେଉ
ଅଛି ପାଦ ଚିହ୍ନ ଖାଲି ll 2
ଝାଉଁବଣ କାନ୍ଦେ କାନ୍ଦେ ଉର୍ମିମାଳା
ଗଲ ଯେବେ ତମେ ଚାଲି
ପୂନେଇ ଜହ୍ନଟା କାନ୍ଦେ ଲୁଚି ଲୁଚି
ଆଖିରୁ ଜୋଛନା ଢାଳି ll 3
ମିଞ୍ଜି ମିଞ୍ଜି ତାରା ରାତ୍ରର ନିଶବ୍ଦେ
ବାହୁନେ ତମକୁ ନିତି
ବିରହୀ ଚକୋରୀ ପାଗଳୀ ପରାଏ
ଗାଏ ଆମ ପ୍ରେମ ଗୀତି ll 4
ମେଘ ଘଡଘଡି ବିଜୁଳି ଆଲୋକେ
ଢାଙ୍କି ଦିଏ ତାର କାନି
ନୟନରୁ ବାରି ବହେ ଧାର ଧାର
ଲେଖେ ମୁଁ ନୂଆ କାହାଣୀ ll 5
ମୋ ଜୀବନ ଦୀପ ଲିଭି ତ ଗଲାଣି
ପ୍ରିୟତମା ତମ ବିନା
ଜଳୁଛି ହୃଦୟ ତମ ବିଛେଦରେ
ତାକୁ ଲିଭାଇ ପାରେନା ll 6