ପ୍ରିୟତମ
ପ୍ରିୟତମ
ପ୍ରଥମ ଦେଖାର ପ୍ରଥମ ଚାହାଣୀ
ଅଭୁଲା ସେ ମୋ ପାଇଁକି,
ପ୍ରିୟ ବିନା କଳନା କରିନି ମୁଁ ଯେ
ଭବିଷ୍ୟ କଥା ନେଇକି ।
ପ୍ରୀତିଭରା ଓଠ ଖୋଜୁଛି ପ୍ରିୟଙ୍କୁ
ଭିଯିବାକୁ ପ୍ରେମ ରଙ୍ଗେ,
ଆଖି ମୋର ଖୋଜେ ମୋ ପ୍ରିୟ ଚେହେରା
ସ୍ବପ୍ନ ଦେଖିବାକୁ ସଙ୍ଗେ ।
ପ୍ରିୟତମ ପାଶେ ସଦା ପ୍ରୀତି ଥାଏ
ଭାରି ସିଏ ଅଭିମାନୀ,
ପ୍ରିୟ ବିନା ମୁହିଁ ଅସ୍ତିତ୍ଵ ବିହୀନ
ମୁହିଁ ଯେ ତାଙ୍କ କାମିନୀ ।
ସମ୍ପର୍କ ଆମର ଲକ୍ଷ୍ମୀ ଜଗନ୍ନାଥ
କଳି ପରେ ମିଶିଯାଉ,
କେବେ ପୁଣି ଆମେ ଶଙ୍କର ପାର୍ବତୀ
ଅର୍ଦ୍ଧ ଅଙ୍ଗେ ସଦା ଥାଉ ।
ପ୍ରିୟତମ ମୋର ପ୍ରେରଣା ଦିଅନ୍ତି
ବକ୍ଷେ ଆଲିଙ୍ଗନ କରି,
ପ୍ରିୟା ପାଇଁ ସେହି ହାରି ବି ପାରନ୍ତି
ଦୁଃଖକୁ ଆପଣା କରି ।
ସେହି ମୋର ପ୍ରିୟ ମୋ ଜୀବନର
ପ୍ରିୟ ମୋ ଜୀବନ ସାର,
ପ୍ରିୟ ବିନା ଆନ ନାହିଁ ଏ ସଂସାରେ
ସେହି ପ୍ରିୟତମ ମୋର ।
ଛାଡି ଯିବେ ନାହିଁ ଏତିକି ବିଶ୍ଵାସ
କହୁଛି ଆଜି ବି ମନ,
ନିଃଶ୍ୱାସ ବିନା ଦେହ ଯେପରି ତୁଚ୍ଛ
ପ୍ରିୟ ବିନା ମୁଁ ଯେ ଶୂନ୍ୟ ।