ପ୍ରିୟାର ମାନଭଞ୍ଜନ
ପ୍ରିୟାର ମାନଭଞ୍ଜନ
ଆଗୋ ମିଷ୍ଟ ଭାଷୀ ମୋହର ପ୍ରେୟସୀ
ଦେଖି ତୁମର ଚାହାଣି
ବୁଝି ମୁଁ ପାରୁଛି ଅକୁହା କଥା କୁ
ନୟନୁ ଢାଳନା ପାଣି ।
ତୁମରି ପ୍ରସ୍ତାବ କରିଛି ସ୍ବୀକାର
ଅଙ୍ଗୀକାର ବଦ୍ଧ ହୋଇ
ସାତ ଜନମକୁ ସାଥୀ ରେ ରହିବି
ସୁଖ ଶିରୀ ଦେବା ପାଇଁ ।
ବୁଝ ଥରେ ପ୍ରିୟା ଏ ସଂସାର ମାୟା
ସଭିଏଁ ସ୍ୱାର୍ଥରେ ଅନ୍ଧ
ପ୍ରେମକୁ ସର୍ବଦା କଳଙ୍କ କୁହନ୍ତି
ଲାଗଇ ସଭିଙ୍କୁ ଗନ୍ଧ ।
ପାଖେ ଥିଲେ ଧନ ସର୍ବେ ଆପଣାର
କୁହନ୍ତି ମିଷ୍ଟ ବଚନ
ଅଚିହ୍ନା ହୁଅନ୍ତି ଗରିବ ଲୋକଙ୍କୁ
ଯାହା ପାଶେ ନାହିଁ ଧନ ।
ବୁଝି ପାରନ୍ତିନି ପ୍ରେମର ମହତ୍ୱ
ଅର୍ଥକୁ ତୁଳନା କରି
ଅହଙ୍କାର ଖାଲି ଦେଖାଇ ହୁଅନ୍ତି
ଭୁଲି ସମ୍ପର୍କର ଡୋରି ।
ମୁଁ ସିନା ଗରିବ ଧନ ନାହିଁ ପାଶେ
ହୃଦୟ ମୋହର ବଡ଼
ସବୁ ସ୍ବପ୍ନ ତୁମ ପୂରଣ କରିବି
ଆସୁ ପଛେ ଯେତେ ଝଡ଼ ।