ପ୍ରୀତିର ପରଶ ନେଇ ଆସ
ପ୍ରୀତିର ପରଶ ନେଇ ଆସ


ନିଷିଦ୍ଧ ମନର ଇଲାକାରେ ତୁମେ
ଅତିଥି ସାଜିଛ ପ୍ରିୟତମ
ନିତି ଭିଜୁଅଛି ବିନା ବରଷାରେ
ଶୀହରଣ ବୋଳେ ତୁମ ପ୍ରେମ ।
ନିଃଶବ୍ଦ ହୃଦୟ ଗାଉଛି ଗଜଲ
ସବୁଠି ଦିଶୁଛି ତୁମ ଛବି
ନାଚୁଛି ଖୁସିରେ ପ୍ରୀତି ବଗିଚାରେ
ଅକୁହା ଭାବନା କଥା ଭାବି ।
ନୟନେ ଲେଖୁଛି ପ୍ରୀତିର କାହାଣୀ
ଅଜଣା ଆବେଗ ସ୍ୱପ୍ନ ବୁଣି
ନୀରବେ ଯୌବନ ଜାଳୁଛି ପରାଣ
ମଧୁର ଦହନ ସୀମା ଟାଣି ।
ନିର୍ଦ୍ଦୟ ବିରହ ବେଦନା ଅସହ୍ୟ
କା'ଆଗେ ବଖାଣି ପାରେନାହିଁ
ନିୟତିକୁ ନିନ୍ଦି ସମୟ ବିତୁଛି
ତୁମରି ଆସିବା ବାଟ ଚାହିଁ ।
ନିଝୁମ୍ ରାତିରେ ଜହ୍ନକୁ ପଚାରେ
ତୁମକୁ ଖବର ଦେବା ପାଇଁ
ନିରୁତ୍ତର ହୋଇ ସିଏ ଲୁଚିଯାଏ
ନିଦୁଆ ସକାଳେ ଆଶା ଦେଇ ।
ନିଃସଙ୍ଗ ଜୀବନେ ତୁମେ ସଂଜୀବନୀ
ପ୍ରୀତିର ପରଶ ନେଇ ଆସ
ନିଃସଙ୍କୋଚେ ବକ୍ଷେ ତୋଳିନିଅ ସାଥି
ପ୍ରତୀକ୍ଷା ବେଦନା କର ନାଶ ।