ପ୍ରୀତିର କୁହୁଡି
ପ୍ରୀତିର କୁହୁଡି
କୁହୁଡି ଯେପରି ଘୋଟିଲେ ସଂସାରେ
ଦିଶେ ନାହିଁ ରାସ୍ତାଘାଟ,
ପ୍ରୀତିର କୁହୁଡି ମନରେ ଘୋଟିଲେ
ଦିଶେ ନାହିଁ ଠିକ୍ ବାଟ l
ଯୌବନ କାଳରେ ପ୍ରୀତିର କୁହୁଡି
ହୋଇଥାଏ ମାୟାଭରା,
କେବଳ ପ୍ରୀତିରେ ନିମଜ୍ଜିତ ମନ
ଧରାକୁ ମଣଇ ସରା l
କୁହୁଡି ଘେରରେ ଆଗେଇ ଚାଲିଲେ
ଜୀବନେ ବିପଦ ଥାଏ,
କେବେ କଣ୍ଟା ଫୁଟେ ଅବା ରକ୍ତ ବହେ
ଜୀବନ କେବେବି ଯାଏ l
ତେଣୁରେ ମାନବ ଖଟାଅ ବିବେକ
କୁହୁଡି ପହଁର ନାହିଁ,
କୁହୁଡି ନୁହେଁ ସେ ବିପଦ ମାତର
ରହିବ ସଦା ଦୂରେଇ l
କୁହୁଡି ଘୋଟିଲେ ପଥ ନଦିଶିଲେ
ଆଲୋକିତ କରି ପଥ,
ଧୀରେ ଧୀରେ ଯେବେ ଆଗକୁ ବଢିବା
ଦିଶିବ ଯିବାର ବାଟ l
ପ୍ରୀତିର କୁହୁଡି ମନରେ ଘେରିଲେ
ଚେତନା ଦୀପ ଜଳାଇ,
ଆଲୋକିତ କଲେ ନିଜ ମନଟିକୁ
ମାୟା ସବୁ ତୁଟିଥାଇ l
ଯୁବକ କାଳଟି ଜୀବନରେ ସଦା
ଶିକ୍ଷା ହାସଲର ବେଳ,
ମାୟାରେ ନପଡି ବିବେକ ଖଟାଇ
ନିଜ କର୍ମ କରି ଚାଲ l
ମନଟିକୁ ଭକ୍ତି ମାର୍ଗରେ ଲଗାଇ
ବିଭୁଙ୍କ ଆଶ୍ରିତ ହୋଇ,
ନିଜ କର୍ମପଥେ ଆଗେଇଚାଲିଲେ
କୁହୁଡି ରହିବ ନାହିଁ ।