STORYMIRROR

Sarojini Mishra

Abstract

4  

Sarojini Mishra

Abstract

ପ୍ରୀତିଝରା ବର୍ଷା

ପ୍ରୀତିଝରା ବର୍ଷା

2 mins
12

l
ତପ୍ତ ମନତଳ ହୃଦୟ ବିକଳ
ଧରଣୀ ରାଣୀର ଦୁଃଖ ଦାରୁଣ
ନଭେ ଅବଲୋକି ବରଷା ର ଛବି
ହୃଦୟ ମନ୍ଦିରେ ଆଶାର ଝର । ୧

ବିରହିଣୀ ସାଜି ପ୍ରକୃତି କରୁଛି
ସତେ ଅବା ତାର କୁଚ୍ଛ ସାଧନା
ବର୍ଷା ଆବାହନ ଗାଏ ଏ ଧରଣୀ
ଗଗନେ ପବନେ ଭାସେ ବେଦନା ।୨

ତପତ ହୃଦର ସନ୍ତାପ ହରଣ
ମଉସୁମୀ ଦିଏ ଶୁଭ ବାରତା
ଆବେଗ ଗମ୍ଭୀର ଧରା ତନୁ ତୀର
ପ୍ରୀତି ଝରା ବର୍ଷା କରେ ମୋହିତା ।୩

ପ୍ରୀତିଝରା ବର୍ଷା ପ୍ରୀତିର ମୁକୁତା
ପରଶି ଦିଅଇ ଜୀବ ଜଗତେ
ଆଦ୍ୟ ଓଁ କାର ର ମୋହିତ ଭାବନା
ଆହ୍ଲାଦିତ କରିଦିଏ ତୁରିତେ ।  ୪

ଆଷାଢ଼ ର ପତ୍ର ପଢ଼ଇ ନିରଦ
ହୃଦୟ ପ୍ରଣୟ ରଙ୍ଗ ମାଖଇ
ଆଦ୍ୟ ପ୍ରୀତିଝରା କିରଣର ଧାରା
ନଭେ ସପ୍ତରଙ୍ଗ ଦିଏ ସଜାଇ । ୫

ଧରଣୀ ବନ୍ଦନ ସ୍ତୁତି ନିବେଦନ
ନଭ ମଣ୍ଡଳରେ ପ୍ରୀତି ଝଙ୍କାର
ବାରିଦ ବରଷି ପ୍ରୀତି ପରଶଇ
ଆଙ୍କି ଦିଏ ସିଏ ପ୍ରେମ ସ୍ବାକ୍ଷର । ୬

ପ୍ରୀତି ବରଷା ରେ ବସୁଧା ଭିଜଇ
ପ୍ରକୃତି କୋଳରେ ସୃଷ୍ଟି ନିନାଦ
ପ୍ରୀତି ଝରା ବର୍ଷା ବଦଳାଏ ଦଶା
ଭାବ ହିଲ୍ଲୋଳରେ ହରଇ ଖେଦ ।୭

ପ୍ରୀତିଝରା ବର୍ଷା ପ୍ରୀତିର ପରଶେ
ପ୍ରାଣୀ ଓ ପାଦପ ହରିତ କ୍ଳେଶ
ତୃଷାର୍ତ୍ତ ବିକଳ ଜୀବ ଜଗତରେ
ଶୁଭଇ ଜୀବନ ଜୀଇଁବା ରାସ ।୮

ଆଦ୍ୟ ବାରିଦର ପ୍ରୀତିର ପରଶ
ନିଷ୍କର୍ଷ ଦେହକୁ ଶୀତଳ କରେ
ମାଟି ମିଠା ଗନ୍ଧେ ବରଷା ରାଣୀକୁ
ବନ୍ଦାପନା କରି ଇଶ୍ଵର ସ୍ମରେ । ୯

ମଙ୍ଗଳର ବାର୍ତ୍ତା ଆଶ୍ୱସ୍ତି ପରଶା
କେକା ନୃତ୍ୟ କରେ ସୃଷ୍ଟିର ଛନ୍ଦେ  
ପ୍ରୀତି ରେଣୁ ଧୁଏ ଅବସାଦ ପରା
ସୃଷ୍ଟି ସମ୍ଭାବନା ହସଇ ମନ୍ଦେ ।୧୦

ଶୂନ୍ୟତା ବିମନା ନିର୍ଝରିଣୀ ହୁଏ
ପୂର୍ଣ୍ଣ ଗର୍ଭା ଛଳ ଛଳ ନାଦିନୀ
ସେବା ଆହ୍ଲାଦରେ ଚାଲଇ ସହାସେ
ମୁଖ୍ୟ ଲକ୍ଷ୍ୟ ତାର ସିନ୍ଧୁ ଗାମିନୀ । ୧୧

ସପନର ପେଡ଼ି ଖୋଲି ଦେଇ ଚାଲେ
ପ୍ରୀତିଝରା ବର୍ଷା ଦେଲା ଜୀବନ
କେଦାର କାନନ ସବୁଜ ସପନ
କାନେ ଶୁଭେ ଚଷା ଭାଇର ଗାନ ।୧୨

ବନ ଉପବନ ଚାତକ ପରାଣ
ପ୍ରୀତି ଗୀତ ଶୁଣି ବିମୁଗ୍ଧ ହୁଏ
ପ୍ରୀତିଝରା ବର୍ଷା ଶ୍ରଦ୍ଧାର ପରଶା
ସପନ ଜାଲରେ ଛନ୍ଦି ଯେ ଦିଏ ।୧୩

ଧୂସର ଧରାରେ ପ୍ରୀତିର ବରଷା
ସବୁଜ ସ୍ଵାକ୍ଷର ଲେଖଇ ବସି
ଜୀବ ଜଗତ ଯେ ମୋହାବିଷ୍ଟ ହୁଏ
ଜୀବନ ଗୀତରେ ଆବେଗ ରାଶି । ୧୪

ପ୍ରୀତି ଝରା ବର୍ଷା ଦିଅଇ ଆସରା
ତପ୍ତାଞ୍ଚଳେ ଜୁଟେ ଶୀତଳ ଛାୟା
ତା ପ୍ରୀତି ମହକେ ଜଗତ ବିଭୋର
ଆଶ୍ଵସ୍ତି ମନ୍ତ୍ରରେ ପ୍ରେରିତ କାୟା ।୧୫

ନିଦାଘ ଯାତନ ନିଏ ନିର୍ବାସନ
ସୃଷ୍ଟିର ନିନାଦେ ଗଗନ ଘେରେ
ପ୍ରୀତି ଝରା ବର୍ଷା ଉପଜା ବାରିରେ
ଶୀତଳ ଛନ୍ଦରେ ପରାଣ ଭରେ । ୧୬



Rate this content
Log in

Similar oriya poem from Abstract