ପ୍ରୀତି ଝରଣା
ପ୍ରୀତି ଝରଣା
ହୃଦୟ ଶିଖରୁ ବହୁଛି ପ୍ରୀତି ସୁଧା ଝରଣା
ବେନି ପ୍ରାଣ ହୁଏ ଅପ୍ଳୁତ ତୁଚ୍ଛ ଲାଗେ ଦୟଣା ।
ସପନ ଦେଖୁଛି ଏ ଆଖି ନିତି ତୁମରି ରୂପ
କେବେ କାର୍ତ୍ତିକେୟ କେବେ ସେ ହରି ହର ସମୀପ ।
ନାହିଁ ସୁଖ ଶାନ୍ତି ଜୀବନ ତୁମ ଭାବନା ବିନା
କ୍ଷଣିକ ବିଚ୍ଛେଦ ବିରହେ ମନ ହୁଏ ମୋ ଚୁନା ।
ପ୍ରୀତି ମନ୍ଦାକିନୀ ତଟରେ ଆମେ କରିବା ଘର
ଝରୁ ଥିବ ମଧୁ ଚାନ୍ଦିନୀ ମନ ପ୍ରାଣ ବିଭୋର ।
ପ୍ରେମାଳପେ ମଜ୍ଜି ସମୟ ହେବ ଅତିବାହିତ
ଭୀତ ତ୍ରାସ ସ୍ନେହ ପରଶେ ହେଉ ଥିବ ଯେ ଧୌତ ।
ଭବିଷ୍ୟ ଭାବନା ସାଥିରେ ସୁଖ ଆବେଗ ଛଣ
ବାଇ ଚଢେଇର ନୀଡରେ କରୁ ଥିବା ଝୁଲଣ ।
ଏକ ପ୍ରାଣ ଏକ ଜୀବନେ ଏକ ଶ୍ଵାସ ପ୍ରଶ୍ଵାସ
ଅଟଳ ପର୍ବତ ପରିକା ଆମ ଥିବ ବିଶ୍ଵାସ ।
ଇର୍ଷାରେ ଜଳିବ କୁମୁଦ ପ୍ରେମ ଦୂରତା ଗତି
ରାତି ଛାତି ମତି କରତି ହେବ ଦେଖିଣ ରତି ।
ପ୍ରଭାତୀ କୁସୁମ ବଣରେ ତୁମେ ଗନ୍ଧ ଚନ୍ଦନ
ତୁମ ମହକରେ ମହକି ଯାଉ ମନ ଅରଣ୍ୟ ।

