ପ୍ରୀତି ଗୁଲାଲ
ପ୍ରୀତି ଗୁଲାଲ
ଆସ ପ୍ରିୟ ଖେଳିବା ହୋଲି
ବସନ୍ତ ଋତୁରେ ମଧୁ ମଳୟରେ
ଦୁଃଖ କ୍ଲେଶ ଯିବା ମନରୁ ଭୁଲି
ଆସ ପ୍ରିୟ ।
ମଧୁ ଝରା ରାତି ପଡ଼ି ଥିବ ବିଞ୍ଚି
ଶୀତଳ ଆଲୋକ ନେଇ
ସଂଧ୍ୟା ରାଣୀ ଯାଏ ରଜନୀ ଆଖିରେ
କଜ୍ଜଳ କଳାକୁ ଦେଇ
ନିରବସନ୍ନରେ ଧରା ଶୋଇ ଗୋ
ଏଇ ବେଳେ ରଖ ଅଳି ।
ଆସ ପ୍ରିୟ
ମନ ମୋ ଅସ୍ଥିର ଆଶା ଭରପୁର
ଦେଖି ଏ ପ୍ରକୃତି ରାତି
କାକଳି କୁଜନ ଶୁନ୍ୟ ହୁଏ ସିନା
ଦେଖ ଇନ୍ଦୁ କଇଁ ରତି
ଝରା ବଉଳର ସୁଧା ପାନେ ଧରା
ବାଢିଛି ସୌରଭ ଥାଳି ।
ଆସ ପ୍ରିୟ ।
ନୁହେଁ ମୁଁ ରାଧିକା ତୁମେ ନୁହଁ କାହ୍ନା
ନାହିଁ ଯେ ଯମୁନା ଘାଟ
ମନ ଯନୁନା ମୋ ତୁମ ପଥ ଚାହିଁ
ହୁଏ ଖାଲି ଛଟପଟ
ଛୋଟ ଅଭିପ୍ରାୟ ରଖିଲି ହେ ବନ୍ଧୁ
ଥିବି କି ନ ଥିବି କାଲି ।
ଆସ ପ୍ରିୟ ।
ସାରା ଦୁନିଆଟା ଆଡ଼ିବନ୍ଧ ହେଲେ
ନାହିଁ ମୋ ହୃଦୟେ ଭୀତ
ଶିତୁଆ ରାତିରେ ନିର୍ଜନ ବେଳାରେ
ସାତ ସୁରେ ଥିବା ମିତ
ସୁନ୍ଦର ମୁହୂର୍ତ୍ତ ଗୁଲାଲ ବେଳାଟା
ଚାଲି ଯିବ ଝୁଲି ଝୁଲି ।
ଆସ ପ୍ରିୟ ଖେଳିବା ହୋଲି

