ପରୀକାହାଣୀ
ପରୀକାହାଣୀ
ହଜିଯାଇଛି ଏବେ, ଅଜା ଆଈ ଓ ଜେଜେ ଜେଜେମାଆ, କହୁଥିଲେ ଯେ ସରାଗେ ।ସନ୍ଧ୍ୟା ହୋଇଲେ ଘର ଅଗଣା, ଦୁଆରମୁହେଁ ବସି, ପରିକାହାଣୀ ଶୁଣିଣ ଆମେ ମନରେ ପାଉ ଖୁସି |ବିଜ୍ଞାନ ଗାଡ଼ି ଯାଇଛି ଗଡି, ଆଜିର ଯେତେ ଛୁଆ, ପାଠ ପଢା ସରିଲାପରେ ମୋବାଇଲ ଓ ଟିଭିମୁଁହା |କାର୍ଟୁନ ସାଜି ପରିକାହାଣୀ, ମୋବାଇଲରେ ଆସେ, ଭଲ ଲାଗେନି କାହାକୁ ଆଉ ବସିବାକୁ ଜେଜେ ପାଶେ | ଏମିତି ସୋନୁ ଶୋଇଣ ଦିନେ ଭାବଇ ପରୀ କଥା, ନିଦରୁ ତାକୁ ଡାକିଲେ ଆସି ପରୀ ଦେବୀଙ୍କ ମାତା |କହିଲେ ସୋନୁ, ମନ ତୋହର ହରଷ ନୁହଁ କିଆଁ? କିଲୋଡ଼ା ତୋର କହିଲେମୋତେ, ହୋଇବତୋର ତାହା |ସୋନୁ ଦେଖିଣ ଆଶ୍ଚର୍ଯ୍ୟ ହୋଇ, କହିଲା ତୁମେ କିଏ? ସୋନପରୀ ମୁଁ କହିଲେ ଦେବୀ ତୋହରି ବନ୍ଧୁଟିଏ |ସୋନୁ କହିଲା ପରୀ ରାଣୀ ମୋ ଏମିତି କିଛି କର, ତିନି ବର୍ଷରୁ ପାଠ ଛାଡି ପିଲା ପାଉ ମାଆ ଆଦର |ଧୂଳିମାଟିରେ ସାଙ୍ଗ ସାଥିରେ ଖେଳି ଭଳିକି ଭଳି, ପିଲାଦିନ ତା ଖୁସିରେ ଯାଉ, ନ ଖାଉ ମାଡ଼ ଗାଳି |ମୋବାଇଲକୁ ଦୂରେଇ ଦେଇ, ଗୀତ ଶୁଣାଉ ମାଆ, ଜେଜେମାଆଙ୍କ କାହାଣୀମୁଣି ଖୋଲୁ ଖୁସିର ରାହା |ବାପାମାଆ ଆମ ଫୋନ ଛାଡି ହୁଅନ୍ତୁ କଥା ପଦେ, ନୂତନ କଥା ଶିଖିବୁ ଆମେ, ଭାବିଲେ ମନ କାନ୍ଦେ |ପରୀ କହିଲେ ଭାରି ଚତୁର, ଏତିକି ଟିକେ ପିଲା, ସବୁ ହେବଯେ ତୁମେ ବଡ଼ଙ୍କ କଥାମାନିଲେ ହେଲା |ଠିକ ସମୟେ ଉଠିଣ ତୁମେ ଭଲରେ ଦାନ୍ତ ଘଷ, ମା'ଙ୍କ କଥା ମାନିଣ ତୁମେ ଯୋଗାସନରେ ବସ | ଯାହା ଦେବେ ମାଆ,ଖାଇସାରିଣ ଶୁଣିବ ତାଙ୍କକଥା, ଖେଳବେଳରେ ଖେଳିବ କିନ୍ତୁ ପଢାବେଳେ ପଢୁଥା |ଆଜିକାଲି ତ ହେଉଛି ସବୁ ଅନଲାଇନ କାମ, ଆନସମୟେ ଉଚିତନୁହେଁ ଦେଖିବା ଆମେ ଫୋନ |ସବୁକଥା ମୋ ମାନିଲେ ଯାଇ ହୋଇବ ସୁନାପିଲା, ତେବେ ଯାଇକି ସୋନପରୀଙ୍କ ସାଙ୍ଗହୋଇବ ଭଲା ସବୁଦିନେ ମୁଁ ଏହି ସମୟେ ଆସି ବୁଝିବି କଥା, ତୁମ କଥାକୁ ମାନିବିସବୁ, ଏହା ମୋହର ଚିନ୍ତା | ନିଦରୁ ଉଠି ବସିଲା ସୋନୁ, ଡାକିଲା ପରୀ ମାଆ, ଦେଖିଲା ରାତି ଯାଇଛି ପାହି ସପନ ଥିଲା ତାହା |ସେଇଦିନଠୁ ସୋନୁ ଆମର ହୋଇଛି ସୁନାପିଲା, ବାପାମାଆ ଏବେ ସବୁଦିନରେ କରନ୍ତି ତାକୁ ଗେଲା |ସୋନୁ କହିଲା ଦିନେ ବାପାଙ୍କୁ ପରିକାହାଣୀ କୁହ, ଶୁଣିଲେ ବାପା କହିଲେ ଟିକେ ମନ ପକାଏ ରହ | ପରୀ ଅଟଇ କୁହୁକ ଦେବୀ ସବୁ କରେ ସମ୍ଭବ, ତା ସହ ସିଏ ସାଙ୍ଗ ହୋଇବ କଥା ଯିଏ ମାନିବ |ଭାବିଲେ ବାପା ମନୁ ମୋହର ଯାଇଛି ସବୁ ଭୁଲି, ପିଲାଦିନର କାହାଣୀ ସବୁ, ଶିକ୍ଷା ଆନନ୍ଦେ ଭରି |କହିଲେ ସୋନୁ ସୁନାପୁଅ ମୋ ଆଖି ଖୋଲିଲୁ ଧନ, ବିନା କାମରେ ଆଜିଠୁ ଆଉ ଦେଖିବିନି ମୁଁ ଫୋନ |ସୋନୁର ମନେ ପଡିଲା ଏବେ ସୋନପରୀଙ୍କ କଥା, ହସିଦେଇଣ ପ୍ରଣାମ କଲା ନୁଆଇଁ ତାର ମଥା |
