ପରୀ
ପରୀ
ଖିଲି ଖିଲି ହସ ତାର
କଣ୍ଢେଇ ପରି ବେଶ
ଗୋଲାପ କଢ଼ି ଓଠ ଆଉ
କଳା ମେଘି କେଶ ।
ଠୁକୁ ଠୁକୁ ଚାଲି ତାର ।
କୋମଳ ଦୁଇ ପାଦ
ବୟସ ସିନା ପାଞ୍ଚ ହେଲେ
କଥାରେ ତା ଫାନ୍ଦ ।
କୁନି ଓ଼ଠୁ ଝରେ ପୁଣି
ଥଙ୍ଗ ଥଙ୍ଗ କଥା
ସେଇ କଥା ଶୁଣିଦେଲେ
ତୁଟି ଯାଏ ବ୍ୟଥା ।
ମା ବାପାଙ୍କର ପରା
ଅଟେ ସେ ଜୀବନ
ଘଡିଏ କରନ୍ତି ନାହିଁ
ଆଖି ଆଗୁ ଭିନ୍ନ ।
ପରୀ ଭଳି ଦିଶେ ବୋଲି
ନାଁ ତାର ପରୀ
କୁନି କୁନି ପାଦ ଦୁଇ
ଆସେ କେତେ ଘୁରି ।
ସଭିଁଙ୍କର ପ୍ରିୟ ପରା
ଅଟେ କୁନି ଝିଅ
ସମୟ ଚକ୍ର ବୁଲିଲା
କି କହିବି କୁହ ।
ହଜିଗଲା ଦିନେ ପରୀ
ସର୍ବେ ହେଲେ ଖୋଜି
ପାଇଲେନି କେହି ତାକୁ
କେଉଁଠାରେ ଖୋଜି ।
ପୋଲିସ ଆସିଣ ପୁଣି
ଅନେକ ଖୋଜିଲା
ପରୀ ଘର ପଛପଟେ
ଶବଟି ପାଇଲା ।
କୁନି ଡ୍ରେସ ଫଡା ଫଡି
ହୋଇଥିଲା ତାର
ବଳତ୍କାର ହୋଇଥିଲା ।
ଝିଅଟି ତାଙ୍କର ।
ପରୀ ମା, ବାପା ଧର୍ଯ୍ୟ
ନ ପାରିଲେ ଧରି
କି ଦୋଷ କରିଣ ଥିଲା
ଶିଶୁଟି ତାଙ୍କରି ।
ମୁଣ୍ଡ ପିଟି କାନ୍ଦି ଗଡି
ଯାଏ ମା ତାର
ଶରୀର ର ଅବସ୍ଥାଟି
ଦେଖିଣ ପରୀର ।
କିଏ ସେଇ ପଶୁ ଯିଏ
କୁକର୍ମ ଏ କଲା
ଖୋଜି ଖୋଜି ପୋଲିସ
ତ ନୟାନ୍ତ ହୋଇଲା ।
ଏବେ ବୁଦ୍ଧି ଜନେ ଦିଅ
ମୋ ପ୍ରଶ୍ନର ଉତ୍ତର
ଯେଉଁମାନେ ଦୋଷ ଦିଅ
ସର୍ବଦା ଝିଅର ।
ଛୋଟ ପୋଷାକ ପିନ୍ଧିଲେ
ପୁଅ ପିଲା କାଳେ
ଆକର୍ଷିତ ହୋଇ ପୁଣି
ବଳାତ୍କାର କରେ ।
କୁନି ଝିଅ ଟିଏ କୁହ
କି ଦୋଷ ସେ କଲା
କାହାକୁ କେମିତି ସିଏ
ଆକର୍ଷିତ କଲା ।
ହୀନ ମାନସିକ ଭାଇ
ବଦଳେଇ ଦିଅ
ନିଜେ ବଂଚ ଅନ୍ୟକୁ ବି
ବଂଚିବାକୁ ଦିଅ ।
ନିଜ ଘର ଝିଅକୁ ତ
ସନମାନ ଦିଅ
ଅନ୍ୟ ଘର ଝିଅ ଦେଖି
ଲାଳସା ଜନ୍ମାଅ ।
ନିଜ ମନ ସ୍ଵଛ କର
ଏତିକି ମିନତି
ଝିଅ ସିଏ ଅଟେ ପରା
ନୁହେଁ ତୋ ସମ୍ପତି ।
ଅସୁରକ୍ଷିତ ଆଜି ପରା
ଅଟଇ ତ ପରୀ
ନିଜର ହେଉକି ହେଉ
ଅନ୍ୟର କାହାରି ।
ସବୁରି କନ୍ୟାକୁ ଦେବା
ସଭିଏଁ ସୁରକ୍ଷା
ଏହି ପଣ କର ସର୍ବେ
କରିବୁ ତୁ ରକ୍ଷା ।
ଦେବକୀ ବେହେରା