ପ୍ରଗତିର ପଥ
ପ୍ରଗତିର ପଥ
ଓଲଟାଅ ନିଜ ପୁରୁଣା ଜୀବନୀ ପୃଷ୍ଠା,
କିଛି ପୁରୁଣା ସ୍ମୃତି
ପାଇବ ନିଶ୍ଚିତ, ଭଲ କାମ କରିଲେ କିଛି,
କେତେକ ଗୋଡ଼ ଟାଣନ୍ତି ।
ପାଇବ, ମାନବ ଜୀବନ ନୁହଇଁ କେବଳ
ଭୋଗ ଓ ବିଳାସର
ଦୃଢ଼ ମନୋବଳେ କର୍ମ କରିଲେ, ବିଫଳତା
ନିଶ୍ଚିତ ହୁଅଇ ଦୂର ।
ଜୀବନର ଅଙ୍କା ବଙ୍କା ରାସ୍ତାରେ, ସର୍ବଦା
ଝଡ଼ ଝଞ୍ଜା ଆସି ତ ଥାଏ
ଦୃଢ଼ ହୋଇ ଲକ୍ଷ ପଥେ କଲେ ହିଁ ଗତି,
ସଫଳତା ମିଳି ଥାଏ ।
ନିରାଶ ସମୟେ, ମୁଁ କେତେ ଲୋକଂକର
ମଦତ୍ ସାହସ ଧୈର୍ଯ୍ୟ ପାଇଛି
ମହତ ଚିନ୍ତନ ସତ୍ୟ ଧର୍ମ ନ୍ୟାୟର ପଥରେ
ସାରା ଜୀବନ ମୋର କଟାଇଛି ।
କିଛି ସମୟରେ ପାଇଛି ଯେତେ କଷିଲେ ବି
ଜୀବନ ଗଣିତ ହୁଏନି ସମାଧାନ
କିଛି କିଛି ପ୍ରଶ୍ନ ମନରେ ଆସିଛି, ପାଇଛି
ତାହାର ଅନ୍ତିମ ଉତ୍ତର ଶୂନ ।
ଅନୁଭବ କରିଛି, ଜୀବନ ତ ଏକ ଝୁଲନ୍ତା
ଦୋଳି ସୁଖ ଦୁଃଖକୁ ନେଇ
ସମ୍ପର୍କର ରଜ୍ଜୁରେ ଦୋଳାୟ ମାନ ହୋଇ
ମାୟାରେ ଯାଇଛି ଛନ୍ଦି ହୋଇ ।
ସମ୍ପର୍କରେ ବିଶ୍ୱାସ ଥିଲେ, ସ୍ନେହ, କରୁଣାର
ବଳେ ମଣିଷର ମନୁଷ୍ୟତା ଥାଏ
କର୍ମରେ ହେବ ଉତ୍କର୍ଷତା, ସାଧୁତା ସୁବିଚାର
ଯଦି ଚରିତ୍ରରେ ଥାଏ ।
ଚାଲିଛି ବହୁ ଆଡମ୍ବର କିନ୍ତୁ ଲଘୁ କ୍ରିୟା,
ଘଟିଛି ଅନେକ ପରିବର୍ତ୍ତନ
ବଢ଼ିଛି ହିଂସା ପ୍ରତିହିଂସା, ହୀନ ମାନସିକତା,
ନାହିଁ ପ୍ରେମ ଓ ଶାନ୍ତିର ପ୍ରଦର୍ଶନ ।
ପଦ ପଦବୀର ଆକାଂକ୍ଷାରେ ସମ୍ପର୍କରେ
ଉଠୁଛି ମେଘନାଦର ପାଚେରୀ
ସ୍ୱାର୍ଥପରତାର ବଶବର୍ତ୍ତୀ ହୋଇ ମଣିଷେ
ଅନ୍ୟାୟ ଅନୀତି ରହିଅଛି ପୁରି ।
ପୁଂଜିବାଦୀ ଚେତନାରେ ଏକ ମାତ୍ର ଲକ୍ଷ
ହୋଇଛି ବିପୁଳ ଅର୍ଥ ଉପାର୍ଜନ
ମଣିଷ ବାହାରକୁ ଦେଖାଏ ହସ ଓ ସୁନ୍ଦରତା,
ଭିତରେ କିନ୍ତୁ କଦର୍ଯ୍ୟ ଆଚରଣ ।
ଅନ୍ୟାୟ ଅନୀତି ବଢ଼ି ଯାଉଅଛି, ମିଛ ଅସତ୍ୟ
କରୁଛି ଜୟ, ଶାନ୍ତି ହଜିତ ଯାଉଛି
ଆଜି ଯୁଗ ଯେ ବଦଳିଛି, ପ୍ରଗତି ପଥରୁ ମାନବ
ଆଜି ଧ୍ୱଂସ ଅଭିମୁଖୀ ହେଉଛି ।
ବାୟୁ ମାଟି ପାଣି ପବନ ଓ ତେଜ ଆକାଶରେ
କଳଙ୍କ ଲାଗି ଯାଇଛି।
ଦେଖ କେମିତି ଅକାଳ ବିୟୋଗ ମରତ ପୁରରେ
ନିତିଦିନ ଘଟୁଅଛି ।
ମିଛ ବିରୁଦ୍ଧେ ଲଢିବା ସତ୍ୟ ପାଇଁ ଜାଗିବା
ଦୁନିଆଁର ଏହି ଦୁଇ କଥା
ଏହା ଚିରନ୍ତନ ସତ୍ୟ, ଧର୍ମ ଆଚରଣ କରିଲେ
ସଂସାରୁ ତୁଟିବ ବ୍ୟଥା ।
ଶାନ୍ତି, ଭକ୍ତି ଓ ପ୍ରେମ ପଥରେ ଚାଲିଲେ ଶକତି
ମିଳଇ, ଶାନ୍ତି ଆସେ ଏ ଶରୀରେ
ଗତି କରୁଥିଲେ ଅଧର୍ମ ପଥରେ, ସୁଖ କି ଆସେ
କଉସ୍ଥୁଭ ମଣି ଧନ ଦରବରେ ।
ଆସନ୍ତୂ ନିଜ ହୃଦୟ ଭିତରେ ଥରେ ଚିନ୍ତା କରିଵା
ଅଧର୍ମର ଶେଷ ପରିଣତି
ପରଖି ନିରେଖି ବଢ଼ାଇବା ମାନବିକତା ରଖି
ଯିବା ଆମର କୃତି, କୀର୍ତ୍ତି ।
