ପ୍ରେମରେ କଳଙ୍କ
ପ୍ରେମରେ କଳଙ୍କ
ଅନାବିଳ ପ୍ରେମ କରୁଥିଲ ବୋଲି
କହୁଥିଲ କହ କିଆଁ ?
ଆବିଳତା ଏତେ ରଖିଥିଲ ମନେ
ପ୍ରେମରେ ଲାଗିଲା ନିଆଁ ।
ଇଏ କେଉଁ କଥା ବିଶ୍ବାସରେ ବିଷ
ଦେଲ ତୁମେ କେଉଁପରି ?
ଈଶ୍ବର ସୃଷ୍ଟିରେ ଅପ୍ରାକୃତ ପ୍ରେମ
କେହି ନୁହେଁ ପ୍ରେମ ସରି ।
ଉତ୍ପଳ ଦର୍ଶନେ ଜାଗେ ସିନା ପ୍ରେମ
ଉପଳ କି ତା'ର ତୁଲ ?
ଊଣା ନୁହେଁ କେବେ ମଧୂପର ପ୍ରେମ
ଜୀବନ ତା' ମଣେ ସଲ ।
ଓର ଉଣ୍ଡି ଯାଇ ମଧୁ ଗନ୍ଧ ପାଇ
ମଧୁ ଆସ୍ବାଦନ କରି ।
ହାରଇ ଜୀବନ ମୁଦ୍ରିତ ପଙ୍କଜେ
ତା ପ୍ରେମ କି ପାରେ ମରି ।
ପ୍ରେମ ସମ ସୁଧା ଦୁର୍ଲଭ ଜଗତେ
ଏ କଥା ନଜାଣେ କିଏ ?
ଅକଳଙ୍କ ପ୍ରେମେ କଳଙ୍କ ବୋଳିଲ
ଜନରବ ହାଏ ହାଏ ।
କଳଙ୍କିନୀ କେହି ବୋଲନ୍ତି ରାଧାକୁ
ସେ ତ ପ୍ରେମ କାଙ୍ଗାଳୁଣୀ ।
ଅଦ୍ୱୈତ ଅଖଣ୍ଡ ପୀରତିର ଧାରା
ସେ କି ପ୍ରେମ କଳଙ୍କିନୀ ।
ଅକଳଙ୍କ ଥିଲା ଗୋପିକାଙ୍କ ପ୍ରେମ
ନ ଜାଣିଛି କହ କିଏ ?
ପ୍ରେମରେ କଳଙ୍କ ବୋଳି କେଉଁ ଲାଭ
ପାଇଲ କହ ଟିକିଏ ?
