ପ୍ରେମର ଶୀତଳ ଛୁଆଁ
ପ୍ରେମର ଶୀତଳ ଛୁଆଁ
ଜଳିବାକୁ ଚାହେଁ ପ୍ରେମର ବହ୍ନିରେ
ପତଙ୍ଗଟିଏ ମୁଁ ସାଜି
ତପଭଙ୍ଗ ହେଉ ତପସ୍ୱୀର ଆଜି
ଆସ ଗୋ ମେନକା ସାଜି
ବୟସର ଦେହେ ଖଇଫୁଟା ତାତି
ଲାଗିଛି କାମନା ନିଆଁ
ଟାଣିନେଇ ଦେହେ ସଂଚାରି ଦିଅ ଗୋ
ପ୍ରେମର ଶୀତଳ ଛୁଆଁ
ଉତୁରିଯାଉ ଏ ଉତ୍ତପ୍ତର ଝଡ଼
ସାକ୍ଷୀରହୁ ନିଶାକର
ପାନକରି ତୁମ ଅଧର ଅମୃତ
ତୃଷ୍ଣା ମେଣ୍ଟୁ ତୃଷାର୍ତ୍ତର
ଭାଙ୍ଗିଯାଉ ସବୁ ଲାଜର ପ୍ରାଚୀର
ପ୍ରଣୟର ନଦୀତୀରେ
ନିର୍ବାଣ ମିଳୁ ଏ ପବିତ୍ର ପାପୀକୁ
ତୁମଦେହ ସଂସ୍ପର୍ଶରେ
ଲକ୍ଷେ ଯୋନିଜନ୍ମା ଏ ପୁରୁଷ ପ୍ରାଣ
ଲାଭକରୁ ଆତ୍ମତୃପ୍ତି
ମହାମିଳନର ମହାର୍ଘ୍ୟ ମୁହୂର୍ତ୍ତ
ରହିଯାଉ ସାଜି ସ୍ମୃତି
