ପ୍ରେମର ସାହୁକାର
ପ୍ରେମର ସାହୁକାର
ନିଜେ ଆଗେଇ ତ ପାରେନି
କି ଛାଡ଼େନି ପାହୁଣ୍ଡେ ତୁମକୁ
ସଚ୍ଚା ପ୍ରେମିକର ମୂଖା ପିନ୍ଧି
ନିଜ ଅହଂକାରର ଚର୍ବି ବଢ଼ାଏ
ମିଛ ଆଉ ଦେଖାଣିଆ ଦାୟିତ୍ଵବୋଧକୁ
ମୁକୁଟ କରି ପିନ୍ଧେ ।
ତଥାକଥିତ ସାତ୍ୱିକ ପ୍ରେମର
ଲମ୍ବା ତାଲିକାକୁ ସାମ୍ନାରେ ରଖି
ତୁମ ସହ ସଉଦା କରେ
ଦେଇଚାଲେ ଦାନବୀର ବୋଲାଇ ।
"ତୁମ ଠାରୁ କିଛି ଆଶା ରଖେନି "
ଦୋକାନ ଆଗରେ ଏ ବିରାଟ ବିଜ୍ଞାପନ ଦେଇ
ପ୍ରେମର ସାହୁକାର ସାଜି
ଉଦର ମେଲେଇ
ହାତଦୁଇ ଶୁଖିଲା କରି ବସେ ।
ତୁମେ ମୋତେ ଭଲଭାବେ ଚିହ୍ନ
ତେଣୁ ନିରବରେ ସବୁ ସହିଯାଅ
ଜାଣ ମୋର ଏ ଆତ୍ମବଢିମା ପଛରେ
କେଉଁଠି ଟୋପାଏ ଶୁଦ୍ଧତା ଲୁଚି ଅଛି
ସେହି ଟିକକ ସାଇତି ରଖିବା ପାଇଁ
ଏତେ ସବୁ ନାଟକ ମୁଁ କରେ ।
ହେଲେ କେତେ ଦିନ ଆଉ
ଧର୍ଯ୍ୟ ଧରି ସହି ଚାଲିବ ?
ନିର୍ଝରଣୀ ସୁଖି ଯିବ
ଏତେ ଧୂଳି ଧୂଆଁ ଭିତରେ
କେହି ଜାଣିବେନି
ଆମେ ହଜିଯିବା ସମୟ ଗହ୍ଵରେ ।
ଭଲ ହେବ ,
ଆମେ ଆଉ ଇତିହାସ
କି କିମ୍ବଦନ୍ତୀ ହୋଇ ବଞ୍ଚିବାନି
ଆମ ଗାଥା ଆମରି ହୃଦୟ ଗହୀରରେ
ଗୁପ୍ତ ହୋଇ ରହିଯିବ ।
ଏଇତ ଆମର ସର୍ବୋଚ୍ଚ ଆକାଂକ୍ଷା ଥିଲା
ସବୁଦିନ ପାଇଁ ମିଶିଯିବାକୁ
ମୁକ୍ତ ହୋଇ ସବୁ ବନ୍ଧନରୁ
ନୁହେଁ କି