ପ୍ରେମର ଆନନ୍ଦ
ପ୍ରେମର ଆନନ୍ଦ
କେତେ ଦିନ ଆଉ ଦେଖିବି ସଖୀ
ତୁମ ମିଛ ଅଭିନୟ
ଦୁର୍ବଳ ହେଉଛି ହ୍ରୁଦୟ ମୋହର
ଗ୍ରାସ କରୁଅଛି ଭୟ।
ସ୍ଫଟିକ ପରାୟେ ହୃଦୟ ଦେଇଛି
ଆର ପାର ଦେଖିପାର,
ଜାଣିଛ ବି ତୁମେ ନୁହେଁ ରକ୍ତ ମାଂସ
ସେ ବି କ୍ଷଣ ଭଙ୍ଗୁର।
ଯେତେଥର ତୁମେ ଧକ୍କା ଟି ଦେଉଛ
ଲୋଟି ପଡୁଛି ମୋ ହୃଦ,
ଖଣ୍ଡ ବିଖଣ୍ଡିତ ସେ ହ୍ରୁଦୟଟିର
କାହାଣୀ ବଡ଼ ଦୁଃଖଦ।
ଦେଇଥିଲି ତନ ମନ ଆଉ ଆତ୍ମା
ସଭିଙ୍କୁ ଦେଲି ଫୋପାଡି,
ଅଜଣା ରାଇଜେ ତୁମ ହାତ ଧରି
ଭଙ୍ଗିବି ସୁଖ ଲହଡ଼ି।
ସମର୍ପିଦେଇଛି ନିଷ୍ପାପ ହୃଦୟ
ତୁମକୁ ଆପଣା ଭାବି,
ତୁମେ ଯଦି ମୋତେ ପ୍ରତାରିତ କଲ
କଣ କହିବ ସେ ଅନୁଭବୀ??
ନେଇତ ପାରିବି ନାହିଁ ପ୍ରତିଶୋଧ,
ତୁମ ମଧ୍ୟେ ମୁହିଁ ବନ୍ଦୀ,
ଦଣ୍ଡ କଣ ଆଉ ନିଜକୁ ମୁଁ ଦେବି,
ନୀରବି ରହିଛି କାନ୍ଦି।
କରିନାହିଁ କି ମୁଁ କରିବି ବି ନାହିଁ
ଅନୁତାପ ମନେ ମନେ,
ତୁମେ ପରା ସଖୀ ମୋର ପ୍ରିୟତମା
ଯାହାକୁ ବରିଛି ମନେ।
ଯେଉଁଠି ବି ଥାଅ ସଜଫୁଲ ପରି
ମହକାଅ ଅନ୍ୟ ଦେଶେ,
ପୁଲକିତ ହେବେ ତୁମ ବାଞ୍ଛିତ
ମୋ ହୃଦୟ ବି ବନ୍ଦୀ ଶାଳେ।
ମୋ ମନ ହୃଦୟ ଦେଇକି ଆସିଲି
ତାଲା ପକାଇଲ ତୁମେ,
ଚାବି ଟିକୁ ମୁଁହି ଫିଙ୍ଗିଦେଇଥିଲି
ଏବେ ତ ଲାଚାର ଆମେ।
ଜାଣିଛି ସଜନୀ ବନ୍ଦୀ ଜୀବନ ରେ
କେତେ ଯେ ଯାତନା ହେବ,
ପିତା ହେଉ ପଛେ ସେ ଫଳ ଗୋଟିକ
ଆନନ୍ଦ ସେ ଦେଉଥିବ।
ଈଶ୍ୱର ଜାଣନ୍ତି କିଏ କେତେବେଳେ
ଆସିବେ ଆମ ଜୀବନେ,
କିଛି ବାକି ଥିଲା ପୂର୍ବ ଜନମର
ପୁରା କଲି ଏ ଜୀବନେ।
ଯେତେ ଯେତେ ତୁମେ ଲିଭାଇବ
ଆମ ସ୍ମୃତି ମାନସ ପଟରୁ,
ସେତିକି ମୋ ଦୁଃଖ ଲାଘବ ହୋଇବ
କ୍ଷତ ସୁଖିବ ହୃଦରୁ।
ବନ୍ଦୀ ର ଆନନ୍ଦ ଉପଭୋଗ କରେ
ରହିତୁମ ବନ୍ଦୀ ଶାଳେ,
ପ୍ରୀତିର ଫଲଗୁ ତୁମେ ମୋର ସଖୀ
ତୁମରି କବିତା ଗାଏ।