ବନ୍ଧୁଙ୍କୁ ପଦେ
ବନ୍ଧୁଙ୍କୁ ପଦେ
ବନ୍ଧୁଟିଏ ବାନ୍ଧେ ସମ୍ପର୍କର ସେତୁ
ହୃଦୟରୁ ହୃଦୟକୁ,
ସେ ସମ୍ପର୍କେ ନଥାଏ ଭେଦ ଭାବ କିଛି
ଆତ୍ମା ବୁଝେ ସେ ଆତ୍ମାକୁ।୧।
ପିତା ମାତା ଗର୍ଭୁ ନ ମିଳଇ ବନ୍ଧୁ
ମିଳଇ କରମ ସାଥେ,
ସାଥେ ଚାଲିଥାନ୍ତି ସମକକ୍ଷ ହୋଇ
ଜୀବନର ଚଲା ପଥେ।୨।
ମନାନ୍ତର ହୁଏ ମତାନ୍ତର ହୁଏ
ସେତ ମନ, ମତ କଥା,
ବିସ୍ମରଣ ହୁଏ ମାନ ଅଭିମାନ
ସ୍ନେହ ଦେଉଥାଏ ବ୍ୟଥା।୩।
ଜୀବନ ଯଜ୍ଞ ରେ ସ୍ବାର୍ଥ ଆହୁତିରେ
ତିଷ୍ଠିଛି ବନ୍ଧୁତ୍ୱ ଆଜି,
ସମ୍ପର୍କ ନଉକା ଟଳମଳ ହୁଏ
ଆସିଲେ ତୃତୀୟ ପାଜୀ ।୪।
ବିଶ୍ୱାସରେ ମିଳେ ଈଶ୍ୱର ସଭିଙ୍କୁ
ଅବିଶ୍ବାସ ଏକ ସର୍ପ,
ଜହର ଉଦ୍ଗାରେ କ୍ଷଣେ ପ୍ରତିକ୍ଷଣେ
ଦେଖାଇ ତାହାର ଦର୍ପ।୪।
ଜୀବନର ଏହି ପ୍ରତିଟି ପୃଷ୍ଠାକୁ
ଖୋଲି ପଢ଼ିଦେବ ଯେବେ,
ଆତ୍ମ ନିରୀକ୍ଷଣ ଆତ୍ମ ସମୀକ୍ଷାରୁ
ସୁଷ୍ପଷ୍ଟ ଦିଶିବ ତେବେ।୫।
ନିନ୍ଦା କଲେ କିଛି ମିଳେନାହିଁ ଭାଇ
ଦୂର୍ଗୁଣ ରାଜତ୍ଵ କରେ,
ସୁଗୁଣକୁ ଦେଖି ସୁସଜ୍ଜିତ ହୁଅ
ପିନ୍ଧିବ ମୁକୁଟ ଶିରେ ।୬।
