STORYMIRROR

Alka Mohanty

Abstract

3  

Alka Mohanty

Abstract

ମନେ ପଡ଼ିଯାଏ ବୋଉ

ମନେ ପଡ଼ିଯାଏ ବୋଉ

1 min
132


ପାଦ ଥୋଇଦେଲେ ମୋ ଗାଁ ମାଟିରେ

ମନେ ପଡ଼ିଯାଏ ବୋଉ,

ମନ କହୁଥାଏ ତୋତେ ଦେଖିବାକୁ

ଫେରି ଆସନ୍ତୁ କି ଆଉ।


ନାହି ତ ଗାଁ ର ମାଟି ଉଚ୍ଚା ପିଣ୍ଡା

ନାହି ଅର୍ଦ୍ଧ ଚନ୍ଦ୍ର ପିଣ୍ଡି,

ପିଣ୍ଡିପରେ ବସି ମୋ ମାଆ ସତରେ

ପେଟ ଦିଅନ୍ତା ଦରାଣ୍ଡି।


ନାହିଁ ହଳ ପାଳ ମୁଲିଆ ମଜୁରି

ନାହିଁ କିଛି ଜାତିଆଣ,

ମହାରାଣୀ ପରି ପିଣ୍ଡି ପରେ ବସି

କରୁନାହିଁ ନେଣ ଦେଣ।


ମାଲିମକଦମା, ସ୍ଥାବର ସମ୍ପତି

ପିଲାଙ୍କର ପାଠ ପଢା,

ସରବ କାର୍ଯ୍ୟ ରେ ସିଦ୍ଧ ହସ୍ତ ତୋର 

ଖୋଜଇ ମନ୍ଦିର ବେଢ଼ା।


ପ୍ରସାଦର ଥାଳି,ହସ୍ତେ ପୁଷ୍ପ ମାଳ

ସକାଳର ମନ୍ତ୍ର ଗାନ,

ନିର୍ମାଲ୍ୟ ପେଡିରେ କଜ୍ବଳ୍ ସିନ୍ଦୂର

କେତେ ଶାଳଗ୍ରାମ ମାନ।


ଆଖିରେ କଜ୍ଜଳ, ମଥାରେ ସିନ୍ଦୂର

ଝଟକି ଦିଶଇ ଦୁରୁ,

ସତେ ଅବା ସେହି ସୀତା ଠାକୁରାଣୀ

ଓହ୍ଲାଇଛନ୍ତି ସ୍ଵର୍ଗରୁ।


ଧୋବ ଫରଫର ପାଟ ବସ୍ତ୍ର ପିନ୍ଧି

ମାଣ ଘରେ ହୁଳହୁଳି,

ଲକ୍ଷ୍ମୀମାଆ ପରି ଉଭାହେଲୁ ଘରେ

ଖୁଆଇଲୁ ସର ପୁଳି।


ଆରିସା କାକରା ସରୁ ଛୁଞ୍ଚି ପତ୍ର

ମଣ୍ଡା ପିଠା ଯେ ଜଲେବି,

ତୋ ହାତରେ ଥାଏ ମଧୁର ଅମୃତ

କିପରି ଭୁଲି ପାରିବି !!


ଗୁଣ୍ଡା ଗୁଣ୍ଡା କରି ଦୂଧ ଭାତ ସାଥେ

ଆଳୁ ଚକଟା ର ମଜା,

ରୁଟି କ୍ଷୀର ଧରି କଂସା ତାଟିଆରେ

ପକାଉ ମୋହର ଖୋଜା।


ଗନ୍ଧି ଗଛ ଛାଟ ମନେ ପଡୁଅଛି

ଯେବେ କରୁଥାଏ ଅଳି,

ଆଉ କେହି ନାହିଁ ପୁରା କରିବାକୁ

ଛୋଟ ମୋର ଅର ଦଳି।


କେହି ସୁଣାଉନି ଗୀତା ଭାଗବତ

ରାଧା କୃଷ୍ଣଙ୍କ କାହାଣୀ,

ଝାପସା ସ୍ତୃତି ମୋ ଉଦବେଳିତ କରେ

ମନ ହୁଏ ଗୁଣି ଗୁଣି।


କାଲିପରି ଲାଗେ ତୋର ଶବଧାରେ

କାନ୍ଦୁ ଥିଲି ରାହା ଧରି,

ଆଜି ବି ଲାଗୁଛି ତୁ ମୋ ପାଖେ ଅଛୁ

ନେଉଛୁ ମୋ ହାତ ଧରି।


ଆଶିଷ ମାଗୁଛି ବୋଉ ମୁଁ ତୋତେଲୋ

ତୋ ଗର୍ଭେ ରଖିବୁ ସଦା,

ସବୁ ଜନ୍ମେ ମୋର ମାଆ ହେଉଥିବୁ

ପ୍ରାର୍ଥନା କରେ ସର୍ବଦା।


ଜାଣିଛି ତୁ ଶାନ୍ତିଧାମେ ରହିଅଛୁ

 ଅପେକ୍ଷା କରିଛୁ ମୋତେ,

ମୋର ଅଭିନୟ ସରିବା ମାତ୍ରକେ

ସାକ୍ଷାତ କରିବି ତୋତେ।


ବାଲ୍ୟକାଳୁ ମୋତେ ଛାଡ଼ିଦେଇ ଗଲୁ

କରୁଥିବୁ ଅବଶୋଷ,

ଜାଣି ପାରିଲିନି ମାଆ ସ୍ନେହ କଣ

କଣ କରିଥିଲି ଦୋଷ!


ମାଆ ପରି ଆଉ କିଏସେ ହୋଇବ

ତାର ସ୍ନେହତ ନିଆରା,

କାହା ପାଶେ ମିଳିନାହିଁ କି ମିଳିବ

ପର ମଣିଷ ସେ ପରା।


ନଅ ମାସ ଗର୍ଭ ଯାତନା ସହିକି

ଦେଖାଇଲୁ ମର୍ତ୍ୟଲୋକ,

ତୋର ହାତଧରି ଆଜି ବି ଚାଲୁଛି

ଦେଇଛୁ ମୋତେ ଆଲୋକ।


ବଞ୍ଚି ଥିବାଯାଏ ସେହି ଶୁନ୍ୟ ସ୍ଥାନ

ସେହିପରି ରହୁଥାଉ,

ଈଶ୍ବରଙ୍କ ଠାରୁ ସ୍ନେହ ପ୍ରେମ ମିଳୁ

କେହି ନ ଆସନ୍ତୁ ଆଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract