ପ୍ରେମମୟୀ ରାଧା
ପ୍ରେମମୟୀ ରାଧା


ରାଧାଙ୍କ କାଖରୁ ମାଠିଆ ଖସିଲା
ମୋହନ ବେଣୁର ସୁରେ,
ଯମୁନାର ଧାରେ ପ୍ରୀତି ମହକିଲା
କୁଂଜବନ ମଳୟରେ ॥
ବିରହିଣୀ ରାଧା ସାଜିଲା ହରିଣୀ
କାହ୍ନୁ ପ୍ରେମେ ଅନ୍ଧ ହୋଇ,
କଦମ୍ବ ବନରେ ଭିଜା ବସନରେ
ମନ ଚୋର ଗୀତ ଗାଇ ॥
ମନ ହରିଣୀର ହରିଣୀ କମର
କାହ୍ନୁ ପ୍ରେମ ବୃନ୍ଦାବନ,
ସେ ବୃନ୍ଦାବନର କୃଷ୍ଣ କାମଚୋର
ଯଶୋଦାଙ୍କ ପ୍ରାଣଧନ ॥
ଗୋପୀଙ୍କ ବସନ ଚୋରି କରି ସଦା
ଅନାବିଳ ପ୍ରେମ ଡୋରେ,
କେତେ ରଂଗେ ନଟ କରୁଥିଲେ ହଟ୍ଟ
ପ୍ରେମମୟ ନିର୍ଝରରେ ॥
ଯମୁନା ଘାଟରେ ମୁଗୁନି ପଥରେ
ରଚି ବେଣୁପାଣି ରୂପ,
କୋଳେ ମୁଣ୍ତ ଦେଇ ବଇଁଶୀ ଛଡାଇ
ଦେଉଥିଲେ ପ୍ରୀତି ଲେପ ॥
ମୟୁର ଚୂଳକୁ ଗଭାରେ ସଜାଇ
କୃଷ୍ଣ କରୁଥିଲେ କେଳି,
ଯୁଗଳ ମୂରତି ସ୍ୱର୍ଗୀୟ ପୀରତି
ବୈକୁଣ୍ଠର ଗଳାମାଳି ॥
ଯମୁନା ଜଳର କଳକଳ ସୁର
ଗାଉଥିଲା ତାଙ୍କ ଗୀତ,
ବସୁନ୍ଧରା ଜାଳି ହୃଦୟ ପ୍ରଦୀପ
ବାଢୁଥିଲା ପ୍ରଣିପାତ ॥