STORYMIRROR

Chinmaya Kumar Nayak

Comedy Romance

4  

Chinmaya Kumar Nayak

Comedy Romance

ପ୍ରେମିକାଟିଏ

ପ୍ରେମିକାଟିଏ

1 min
23


ଭଲ ପାଅ ଯଦି କରୁଅଛ ଦାବୀ

ମୋ ସୋନ୍ଦର୍ଯ୍ୟରେ ପଦେ କୁହ

କବି କବି ବୋଲି କରୁଛ ବଡ଼େଇ 

ଆଜି ମୋ ପାଇଁ ଦି ଧାଡ଼ି ଗାଅ।


ପ୍ରେମିକା ମୋ ଦିନେ ଅଭିମାନ କରି

ମୋତେ କହିଲା ଏମିତି କଥା

କବି ପ୍ରାଣ ମୋର ଉଜ୍ଜୀବିତ ହେଲା

ଲେଖି ବସିଲି ପ୍ରେମ କବିତା। 


ସତ କହିବି କି ମିଛ ବଖାଣିବି

ଭାବି ଆନ୍ଦୋଳିତ ହେଲା ଚିତ୍ତ

ମିଛ ଲେଖିଲେ ମୋ କବିତ୍ଵ ହାରିବ 

ସତ ଲେଖିଲେ ଲଭିବି କ୍ଷତ। 


ସଞ୍ଚି ମୋ ସାହସ ପ୍ରଥମେ ମସ୍ତକୁ

ସ୍ତୁତି କବିତା ପ୍ରାରମ୍ଭ କଲି,

ପ୍ରେମିକାର ରୂପ ବର୍ଣ୍ଣନାରେ ଧୀରେ

ପୂର୍ଣ୍ଣ ମନୋନିବେଶ ମୁଁ କଲି। 


ଘନ କୁନ୍ତଳ ତା ଗାଢ଼ କୃଷ୍ଣ ମେଘ

ଭାବି ଆକର୍ଷିତ ହେଲି ଯେବେ,

ପଲେ ଉଙ୍କୁଣୀଙ୍କ ଯୌଥ ପରିବାର

ଦେଖି ଆଚମ୍ବିତ ହେଲି ତେବେ। 


ତେରେଛା ତା ଆଖି ଚାହାଣୀରେ ମନ 

ଭ୍ରମି ଆନମନା ହେଲା ସତେ,

ପାଶେ ଦେଖି ତାର ତୀର୍ଯ୍ୟକ ନଜର

ଭୟ ପାଇଗଲି ସାଥେ ସାଥେ। 


ହସ ତାର ହୋଇଥିବ ମୁକ୍ତାଝରା

କହିଲି ପ୍ରିୟା ମୋ ଦିଅ ହସି,

ତୀକ୍ଷ୍ଣ ଦୁଇ ଧାର ଦନ୍ତ ପଙ୍କ୍ତି ମଧ୍ୟେ

ଦୁଇ ବାହାଡ଼ା ଦେଖି ମୁଁ ଗଲି ଫସି। 


ଗୋରୀ ନ ହେଲେ ବି ସାବନୀ ଚଳନ୍ତା

ଶ୍ୟାମଳୀ ରଙ୍ଗ ତା କଲା ବାୟା,

କୃଷ୍ଣପ୍ରିୟା ତାର ନାମ ବୋଲି ରଙ୍ଗ

କୃଷ୍ଣ ଦେଖି ମୋର ମୂର୍ଚ୍ଛା କାୟା। 


ତନୁପାତଳୀ ଯେ ଶବ୍ଦଟିଏ ଅଛି

ଅଭିଧାନ ବହିର୍ଭୁତ ତାର,

ନିତ୍ୟକର୍ମ ତାର ଭୋଜନୁ ପ୍ରାରମ୍ଭ

ଭୋକ ଲାଗେ ତାକୁ ବାରମ୍ବାର। 


ଏକ ଶ୍ୱାସେ ପଢ଼ି ଶୁଣାଇଲି ଯେବେ

ଲାଜେ ହେଲା ପ୍ରିୟା ଜଡ଼ସଡ,

କି ବୁଝିଲା କି ନ ବୁଝିଲା କେଜାଣି

ଆଉ କି ଲେଖିଛ ପଢ଼ ପଢ଼। 


ଭାବିଥିଲି ବୁଦ୍ଧି ସାମାନ୍ୟ ଥିଲେ ସେ

କରି ଥାନ୍ତା ମୋତେ ପରିତ୍ୟକ୍ତ,

ଦୀର୍ଘଶ୍ଵାସଟିଏ ପକାଇ ଗମ୍ବୀରେ

ହୋଇଥାନ୍ତି ତାହାଠାରୁ ମୁକ୍ତ। 


ସଲ୍ଲଜ ତା ଅବନତ ଦୃଷ୍ଟି ଦେଖି

କିନ୍ତୁ ହେଲି ଶେଷେ ଅବଗତ

ପ୍ରେମରେ ତା ନାହିଁ କାଣିଚାଏ ଖୁଣ

ମଥା ଚୁମି କଲି କୋଳାଗ୍ରତ। 


ଯେତେ ଉପହାସ ପରିହାସ ସବୁ

ଶୁଦ୍ଧ ପ୍ରେମ ପାଖେ ଯାଏ ହାରି,

ମୁକ୍ତ ଏ ବନ୍ଧନ ବାଧେନାହିଁ କେବେ

ସବୁ ଅପୂର୍ଣ୍ଣତା ଯାଏ ପୁରି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy