ପ୍ରେମ
ପ୍ରେମ
ତୁମେ ମୋର ପ୍ରିୟତମା
ମୁଁ ତୁମର ପ୍ରେମିକ,
ଲୁହା ହେଲେ ମୁଁ ତୁମର
ତୁମେ ମୋର ଚୁମ୍ବକ l(1)
ମନେ ମନେ ମୁଁ ତୁମକୁ
ପ୍ରେମ କରି ସାରିଛି ,
ମୋ ମନର ମନ୍ଦିରରେ
ତୁମ ଫଟୋ ପୂଜୁଛି l(2)
କେବେ ବି ଚିଠି ଦେଇନି
ଲେଖି ମନ କଥାକୁ ,
ଲେଖିବାକୁ ଇଚ୍ଛା ହୁଏ
ଲେଖି ପାରେନି ତାକୁ,(3)
ମୋ ପରି ପ୍ରେମ କିଏ ବି
କରିନାହାନ୍ତି କାହାକୁ ,
ଭୋକ ଶୋଷ ଭୁଲିଯାଏ
ଭାବି ପ୍ରିୟା କଥାକୁ l(4)
ଶ୍ରୀକୃଷ୍ଣ କେବଳ ପ୍ରେମ
କରୁଥିଲେ ଗୋପୀଙ୍କୁ ,
ମୁଁ କିନ୍ତୁ ପ୍ରେମ କରଇ
ସବୁ ପ୍ରାଣୀମାନଙ୍କୁ l(5)
ଗୁଣୁ ଗୁଣୁ ଗୀତ ଗାଇ
ନିତି ମୁଁ ଖୋଜୁଥାଏ ,
ପ୍ରିୟା ସଙ୍ଗେ କଥା ହେବାକୁ
ସୁଯୋଗ ଉଣ୍ଡୁ ଥାଏ l(6)
ପିତା, ମାତା, ଭାଇ, ଭଗ୍ନୀ
ମା ' ଯେପରି ପୁତ୍ରକୁ,
ମୁଁ ସେପରି ସ୍ନେହ କରେ
ସବୁ ପ୍ରାଣୀ ମାନଙ୍କୁ l(7)
ପ୍ରେମ କରେ ପ୍ରେମିକାକୁ
ତା ' ଶରୀରରେ ବସି,
ଚୁମ୍ବନ ଦେଇ ତାହାକୁ
ରକତ ନିଏ ଶୋଷି l (8)
ରୋଗୀ ଠାରୁ ଭୋଗୀ ଯାଏଁ
ସଭିଙ୍କୁ ସ୍ନେହ କରେ ,
ଗାଇ ଗୋରୁ ଦେଖି ଦେଲେ
ଅଧିକ ପ୍ରେମ ଝରେ l(9)
ଗାଇ ଗୋରୁଙ୍କ ରକ୍ତ ଶୋଷି
ତୁମର ଶରୀର ରେ ,
ଛାଡିଦିଏ ଆଣି ତାକୁ
ଚୁମ୍ବନ ଜରିଆରେ l (10)
ମ୍ୟାଲେରିଆ ଜ୍ୱର ହୋଇ
ତୁମେ ଯେ ଭୋଗ କର ,
କେଡେ ପାପ କରି ନିଜେ
ଦେଖଇ ନିରନ୍ତର l(11)
ହେଲେ ମୁଁ କରିବି କଣ
ତୁମର ପାଇଁ ସିନା ,
ପ୍ରେମ କରି ଧୋକା ଦିଏ
କାହିଁକି ମୁଁ ଜାଣେନା l (12)
କୃଷ୍ଣ ଯେପରି ଗୋପୀଙ୍କୁ
ଦେଇଥିଲେ ଯେ କଷ୍ଟ ,
ତାଙ୍କ ବିରହ ଅଶ୍ରୁରେ
ହୋଇଲେ ନିଜେ ନଷ୍ଟ l(13)
ପ୍ରେମ କରି ଧୋକା ଦେବା
ହେଉଛି ମୋର ପେଶା,
ରୋଗର ବାହକ ମୁହିଁ
ନାମଟି ମୋର ମଶା l(14)

